କନକ ବ୍ୟୁରୋ: ବରଗଡ଼ ଭେଡେନ ଥାନା ଅମିଲିପାଲି ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦମ୍ପତିଙ୍କ ମୃତ୍ୟୁ ଘଟଣା ସାଙ୍ଗକୁ  ଡାକ୍ତରଖାନାରେ ଡାକ୍ତର ଅଭାବକୁ ନେଇ ତେଜୁଛି ଅସନ୍ତୋଷ । ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ ଦୁଇ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ମୃତ ଜଗନ୍ନାଥ ଦେହେରୀ ଓ କଳାବତୀଙ୍କ ଝିଅ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଗାଁର ୨୦ରୁ ଅଧିକ ଲୋକ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତିରେ ଜୀବନ ଯିବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

Advertisment

ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ୩ ଦିନ ତଳେ ଗାଁକୁ ଯାଇ ପାଣି ନମୂନା ସଂଗ୍ରହ କରିଥିଲେ । କିନ୍ତୁ ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଦୁଇଟି ଜୀବନ ଯାଇଥିବା ଅଭିଯୋଗ ହୋଇଛି । ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ଲୋକେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନାକୁ ଯାଉଥିବା କହିଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ଅଧିକାରୀଙ୍କ ଅଫିସରେ ତାଲା ଝୁଲୁଛି । ଘଟଣା ସମ୍ପର୍କରେ ଜଣାଇବା ପାଇଁ ଫୋନ କଲେ ସେ ଫୋନ ଉଠାଉ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଡାକ୍ତର ଟିମ୍ ପଠାଇ ଲୋକଙ୍କୁ ଚିକତ୍ସା ସେବା ଯୋଗାଇଦେବାକୁ ଦାବି ହୋଇଛି ।