ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍: ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ; କର କ୍ଲିନିକ ନଯିବାକୁ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଆଇସୋଲେସନରେ ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

3,814

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଉ ଜଣେ ରୋଗୀ ଚିହ୍ନଟ ହେବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଁଚିଛି । ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତୃତୀୟ କରୋନା ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଏବେ ତୃତୀୟ କରୋନା ପଜିଟିଭ ବ୍ୟକ୍ତି କେତେଜଣଙ୍କ ସଂସ୍ପର୍ଶରେ ଆସିଥିଲେ, ତାର ଖୋଳତାଡ କରାଯିବା ସହ ସେମାନଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୧୬୪ ନମୂନାରୁ ତିନି ଜଣ ପଜିଟିଭ ରହିଥିବା ବେଳେ ବାକି ନମୂନା ନେଗେଟିଭ ଆସିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ ଭୁବନେଶ୍ୱର ସ୍ଥିତ କର କ୍ଲିନିକ ନଯିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତୃତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ କଂଟାକ୍ଟ ହିଷ୍ଟ୍ରି ଆଧାରରେ ଏହି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । କ୍ଲିନିକର ଉଭୟ ବର୍ହିବିଭାଗ ଓ ଅନ୍ତବିର୍ଭାଗକୁ ରୋଗୀ ନିଯବାକୁ କୁହାଯାଇଛି । ଏହା ସହିତ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ଅନ୍ୟ ଆଟେଣ୍ଡାଡମାନଙ୍କୁ ଆଇସୋଲେସନରେ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ କର କ୍ଲିନିକ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମିତଙ୍କ କଂଟାକ୍ଟ ହିଷ୍ଟ୍ରିର ତଥ୍ୟ ଅନୁଯାୟୀ ସେ ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ୭ଟାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିଥିଲେ । ୨୧ ତାରିଖରେ ସେ କର କ୍ଲିନିକର ବର୍ହିବିଭାଗରେ ଚିକିତ୍ସିତ ହୋଇଥିଲେ । ତାପରେ ୨୪ ତାରିଖରେ ଆଡମିଟ୍ ହେବା ସହ ଗୋଟିଏ ଦିନ ଆଇସିୟୁରେ ରହିଥିଲେ ।

ଅନ୍ୟପଟେ ବାରମ୍ବାର ନିର୍ଦ୍ଦେଶ ସତ୍ୱେ କେତେକ ଘରୋଇ ହସ୍ପିଟାଲ କୋଭିଡି-୧୯ ପାଇଁ ଥିବା ନିୟମକୁ ମାନୁନଥିବାରୁ ସେଗୁଡିକୁ କଡା ଚେତାବନୀ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କୌଣସି ଫ୍ଲୁ ଆକ୍ରାନ୍ତ ହେବା ଭଳି ଲକ୍ଷଣ ଜଣାପଡୁଥିବା ରୋଗୀର ଚିକିତ୍ସା କରିବା ସମୟରେ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ ନିର୍ବାହ କରିବା ସହ ରେଗୁଲେସନକୁ ମାନିବାକୁ ସରକାରଙ୍କ ପକ୍ଷରୁ କ୍ଲିନିକଗୁଡିକୁ ତାଗିଦ କରାଯାଇଛି । ଏହାକୁ ନମାନିଲେ ସମ୍ପୃକ୍ତ କ୍ଲିନିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।