ସଂକ୍ରମଣ ବଢୁଥିବାବେଳେ କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଶଯ୍ୟା ଓ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ।

155

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏହାର ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ, ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ କରୋନାକୁ ମୁକାବିଲା କରିବା ନିମନ୍ତେ ସମସ୍ତେ ପ୍ରସ୍ତୁତ ରହିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଅଧିକ ଶଯ୍ୟା ଓ ଅକ୍ସିଜେନ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛି ।

ସ୍ୱାସ୍ଥ୍ୟ ବିଭାଗର ଏହି ଚିଠିରେ କୁହାଯାଇଛି ଯେ, ରାଜ୍ୟର କୋଭିଡ୍ ରୋଗୀଙ୍କ ପାଇଁ ଆବଶ୍ୟକୀୟ ବେଡ୍ ଓ ଅକ୍ସିଜେନ ମହଜୁଦ କରି ରଖାଯାଉ । ତା ସହ ଆଇସୋଲେନ ବେଡ୍ ମଧ୍ୟ ରୋଗୀଙ୍କ ପାଇଁ ପ୍ରସ୍ତୁତ କରି ରଖାଯାଉ। ସେହିପରି ବିଭିନ୍ନ ଜିଲ୍ଲାରେ ଥିବା ବିଭିନ୍ନ ବେସରକାରୀ ହସ୍ପିଟାଲକୁ ତତକ୍ଷଣାତ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଚିଠିରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ଗତ କିଛି ଦିନ ହେଲା ସଂକ୍ରମଣ ବଢିବାରେ ଲାଗିଛି । ଯଦି ସାବଧାନତା ଅବଲମ୍ବନ କରାନଯାଏ ତେବେ ସ୍ଥିତି ସାଂଘାତିକ ହୋଇଯିବ ବୋଲି ଅନୁମାନ କରାଯାଉଛି । ତେଣୁ ଏପରି ସ୍ଥିତିରେ ସ୍ଥାନୀୟ ଅଂଚଳରେ ଫ୍ଲାଭିପିରାଭିର୍, ରେମଡେସିଭିରି ମେଡିସିନ ମହଜୁଦ ରଖିବା ଏବଂ ହୋମ୍ ଆଇସୋଲେସନ, ଏସଓପିକୁ କଡାକଡି ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତା ସହ ରାପିଡ୍ ରେସପନ୍ସ ଟିମ୍ ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତ ରହିବା ସହିତ, ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି ।