କରୋନାର ନୂଆ ଭାରିଆଣ୍ଟକୁ ନେଇ ସତର୍କ ସରକାର : ୧୦ ଦିନିଆ ସଙ୍ଗରୋଧରେ ରହିବେ ବିଦେଶ ଫେରନ୍ତା

ସ୍କୁଲ କଲେଜ, ହଷ୍ଟେଲ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

188

କନକ ବ୍ୟୁରୋ : ରଙ୍ଗ ବଦଳାଇବାରେ ମାହିର କରୋନାର ନୂଆ ଭାରିଆଂଟ ଅମିକ୍ରନ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ନୂଆ ଭାଂରିଆଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସିଲେ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଲଏଲଏସକୁ ପଠାଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିବ ।

ଯେଉଁମାନେ ବିଦେଶରୁ ଫେରିବେ ସେମାନ ୧୦ ଦିନ ସଙ୍ଗରୋଧରେ ରହିବେ । ଏଥିପାଇଁ ଖୁବଶୀଘ୍ର ନୂଆ ଆଡଭାଇଜରି ଜାରି କରିବେ ସରକାର । ଏ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ଓ ମୁନିସିପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସ୍କୁଲ କଲେଜ ଓ ହଷ୍ଟେଲ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ମାର୍ଗଦର୍ଶିକା ମାନି ଏଠାରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବାକୁ କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁକୁ ଭାରିଆଂଟ ଅଫ୍ କନ୍ସର୍ଣ୍ଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନୂଆ ଭୂତାଣୁକୁ ‘ଓମିକ୍ରନ୍’ ନାଁରେ ନାମିତ କରିଛି ହୁ । ଏପଟେ କରୋନାର ଏହି ନୂଆ ପ୍ରଜାତି ୟୁରୋପକୁ ବ୍ୟାପିଛି । ବେଲ୍ଜିୟମ୍ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି ।ଆଶଙ୍କା କରାଯାଉଛି ଆଗକୁ ଏହାର ପ୍ରଭାବ ୟୁରୋପୀୟ ଦେଶଗୁଡିକରେ ପଡିପାରେ । କାରଣ ୟୁରୋପରେ ଏବେ ହୁ ହୁ ହୋଇ ବଢି ଚାଲିଛି କରୋନାର ଡେଲ୍ଟା ଭୂତାଣୁ । ଜର୍ମାନୀ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ, ବ୍ରିଟେନ୍, ଫ୍ରାନ୍ସ ସମେତ ଅନେକ ଦେଶରେ କରୋନା ଗ୍ରାଫ ଏବେ ଉପରମୁହାଁ ରହିଛିି । ୨୦୨୦ ମାର୍ଚ୍ଚ ମାସରେ ପ୍ରଥମେ କରୋନା ଭୂତାଣୁ ୟୁରୋପରେ ପ୍ରବେଶ କରିଥିଲା ।

କରୋନାର ଆଲଫା ଭାରିଆଂଟ ଅଧିକ ବିପଦ ସୃଷ୍ଟି କରିଥିଲା । ଏହା ପରେ ପରେ ୨୦୨୧ ମସିହାର ଜୁନ୍, ଜୁଲାଇ ବେଳକୁ ଏଠାରେ ଡେଲଟା ଭାରିଆଂଟ ଚିହ୍ନଟ ହେଲା । ଟିକା ନେବାକୁ ଅନିଚ୍ଛା, ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଏବଂ ଲୋକେ କରୋନା କଟକଣାକୁ ନମାନିବା ଫଳରେ ଅଧିକ ବ୍ୟାପକ ହେଉଛି ସଂକ୍ରମଣ । ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭୂତାଣୁ ଆଗକୁ ୟୁରୋପରେ ବ୍ୟାପିଲେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିବ । ଅଧିକ ମୃତ୍ୟୁ ଓ ଅଧିକ ଆର୍ଥିକ କ୍ଷତି ସହିବେ ୟୁରୋପର ଅପେକ୍ଷାକୃତ ବିକଶିତ ଦେଶ । କରୋନାର ଏହି ନୂଆ ପ୍ରଜାତିକୁ ଦୃଷ୍ଟିରେ ରଖି ଫ୍ରାନ୍ସ, ବ୍ରିଟେନ୍ ଓ ଇସ୍ରାଏଲ ଆଦି ଦେଶ, ଦକ୍ଷିଣ ଆଫ୍ରିକା ସହ ବିମାନ ଚଳାଚଳ ଉପରେ ସାମୟିକ କଟକଣା ଲଗାଇଛନ୍ତି ।

ଭାରତ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସ୍ୱାନାରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂକୁ କଡାକଡା କରାଯାଇଛି । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଇବାକୁ କୁହାଯାଇଛି ।ପାଖାପାଖି ୫୦ ଥର ରୂପ ବଦଳାଇଥିବା ଏହି ନୂଆ ପ୍ରଜାତିର ପ୍ରତିରୋଧ ଶକ୍ତିକୁ ଭେଦ କରିବାର କ୍ଷମତା ରହିଛି । ଭୂତାଣୁ ଉପରେ ଥିବା ଏହାର ସ୍ପାଇକ ପ୍ରୋଟିନ ୩୦ରୁ ଅଧିକ ଥର ରୂପ ବଦଳାଇଛି । ଯାହା ଟିକା ସୁରକ୍ଷା ବଳୟକୁ ମଧ୍ୟ ଭେଦ କରିବାକୁ କ୍ଷମତା ରଖିଥିବା ଆଶଙ୍କା କରାଯାଉଛି । ଯଦିଓ ଏହା କେତେ ସଂକ୍ରାମକ ଏବଂ ଏହାର ପ୍ରଭାବ କଣ ରହିବ ତାକୁ ନେଇ ଅଧିକ ଗବେଷଣା ଚାଲିଛି ।