କରୋନା ମହାମାରୀ ସମୟରେ କିଭଳି ଚାଲିଥିଲା ସ୍ୱାସ୍ଥ୍ୟସେବା, କ’ଣ ଥିଲା ଆହ୍ୱାନ ? କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହେଲା ହେଲଥ କନକ୍ଲେଭ ।

104

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ହେଲଥ କନକ୍ଲେଭ । ଯେଉଁଥିରେ ବିଶେଷଜ୍ଞ ଓ ଡାକ୍ତର ସାମିଲ ହୋଇ ଆଗାମୀ ଦିନରେ ରୋଡମ୍ୟାପ୍ ଏବଂ ଅତୀତର ମୁକାବିଲାର ଫର୍ଦ୍ଦ କଥା ବଖାଣିଛନ୍ତି ।

କରୋନା ମହାମାରୀ ବେଳେ କିଭଳି ଥିଲା ରାଜ୍ୟର ସ୍ୱାସ୍ଥ୍ୟସେବା, ଆଗାମୀ ଦିନରେ ପୁଣି ଆଉ ଏକ ଲହର ଆସିବ କି, ମହାମାରୀ ଧୀରେ ଧୀରେ ଦୁର୍ବଳ ହେବ କି, ଏମିତି ଅନେକ ପ୍ରସଙ୍ଗକୁ ନେଇ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଥିଲା ହେଲଥ କନକ୍ଲେଭ । ଯେଉଁଥିରେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ସେମାନଙ୍କର ମତ ରଖିଥିଲେ । ଯଦିଓ ସଂକ୍ରମଣ କିଛି କମୁଛି, ବଢୁଛି, ହେଲେ ଏହା ଯେ ଏଣ୍ଡେମିକ ସ୍ଥିତିକୁ ଆସିଯିବ ତାହା କହିବା ଭୂଲ ହୋଇଯିବ ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି ।

ସେହିଭଳି କରୋନା ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ହରୀଶ ଚୌଧୁରୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ କିଭଳି ବାରମ୍ବାର ଗାଇଡଲାଇନରେ ପରିବର୍ତ୍ତନ ସମସ୍ତଙ୍କୁ ସନ୍ଦେହ ଭିତରେ ରଖିଥିଲା ଏବଂ କରୋନା କିଭଳି ଲୋକଙ୍କୁ ମାନସିକ ଓ ଅର୍ଥନୈତିକ କ୍ଷେତ୍ରରେ ଚାପଗ୍ରସ୍ତ କରି ରଖିଛି, ସେନେଇ ମତ ରଖିଛନ୍ତି ।

କାର୍ଯ୍ୟକ୍ରମ ଆରମ୍ଭରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଲୋକଙ୍କ ନିକଟରୁ ଭୁଲ ତଥ୍ୟ ଏବଂ ଅପପ୍ରଚାର ଦୂରେଇ ରଖିବାରେ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । କନକ ନ୍ୟୁଜର ହେଲଥ କନକ୍ଲେଭରେ କୋଭିଡ ସମୟରେ କିଭଳି ଅସ୍ତ୍ରୋପଚାର ହୋଇଥିଲା କିଭଳି ଚ୍ୟାଲେଞ୍ଜର ସାମ୍ନା କରିଥିଲେ ସ୍ୱାସ୍ଥ୍ୟକର୍ମୀ ସେନେଇ ବି ଆଲୋଚନା ହୋଇଥିଲା । ସେହିଭଳି ମହାମାରୀରୁ ଆମେ କଣ ଶିକ୍ଷା ପାଇଲୁ, କୋଭିଡ ସମୟରେ ଟେଷ୍ଟିଂ ଚାପର କିଭଳି ମୁକାବିଲା କରାଯାଇଥିଲା, କୋଭିଡ ରୋଗୀଙ୍କ ଟେଷ୍ଟିଂର ଚାପ କିଭଳି ରହୁଥିଲା, ଗୁରୁତର ରୋଗୀଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ କିଭଳି ପ୍ରଭାବ ପକାଉଥିଲା ଏବଂ କଣ ଆହ୍ୱାନର ସାମ୍ନା କରୁଥିଲେ, ରୋଗ ନହେବା ପାଇଁ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ ଓ ଇକମୋ ଚିକିତ୍ସା କିଭଳି ଲୋକଙ୍କ ଜୀବନ ବଞ୍ଚାଉଛି ସେନେଇ ଏକାଧିକ ସେସନରେ ଆଲୋଚନା କରାଯାଇଥିଲା ।