କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ବାଲିପାଟଣାରେ ଭାସିଲା ଡାକ୍ତରଖାନା, ଖଟିଆରେ ଚାଲିଲା ରୋଗୀ ସେବା । ଅସରାଏ ବର୍ଷାରେ ଡାକ୍ତରଖାନାର ଏଭଳି ଅବସ୍ଥା ରୋଗୀ ସେବାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି । ବୁଧବାର ବର୍ଷା ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ର ଚାରିପଟେ ପାଣି ଜମିଥିଲା । ଅପରାହ୍ନରେ ଡାକ୍ତରଖାନାରେ ପାଣି ପଶିଥିଲା । ବିଭିନ୍ନ ବିଭାଗରେ ବର୍ଷା ଜଳ ଲହଡ଼ା ମାରିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା ।
ତେଣୁ ଡାକ୍ତରଖାନା ବାରଣ୍ଡାରେ ଖଟିଆ ପକାଇ ରୋଗୀଙ୍କୁ ଚିକିତ୍ସା କରାଯାଥିଲା । ବୃଦ୍ଧ ଓ ମହିଳାମାନେ ଇଞ୍ଜେକ୍ସନ ଓ ସାଲାଇନ ନେବା ପରେ କାଠ ବେଞ୍ଚରେ ବିଶ୍ରାମ କରିଥିଲେ । ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ବହୁ ଅସୁବିଧା ଭୋଗିଥିଲେ । ସେପଟେ ଡାକ୍ତରଖାନା କର୍ମଚାରୀଙ୍କୁ ମଧ୍ୟ ପାଣି ବୋହି ବୋହି ନୟାନ୍ତ ହେବାକୁ ପଡ଼ିଥିଲା । ତେବେ ପାଣି ନିଷ୍କାସନ ହେଉ ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ଡାକ୍ତରଖାନା କତ୍ତୃପକ୍ଷ । ଏକ ଠିକା ସଂସ୍ଥା ଡାକ୍ତରଖାନା ବାହାରେ ଗୋଡ଼ି ଗଦା କରିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।