କନକ ବ୍ୟୁରୋ: ୨୦୧୨ରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପଳାସୋଳ ପଂଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା । ପଳାସୋଳ ପଂଚାୟତ ସହ ଆଖପାଖ ୫ ଟି ପଂଚାୟତର ୧୦ ହଜାରରୁ ଅଧିକ ଲୋକଙ୍କ ପାଖରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପହଂଚାଇବା ଲକ୍ଷ୍ୟ ରଖାଯାଇଥିଲା । ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବାକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ବି ଡାକ୍ତର ଏଠାକୁ ଆସିନାହାଁନ୍ତି । କିଛି କର୍ମଚାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ବି ଆସୁନଥିବା ଅଭିଯୋଗ ହୋଇଛି ।

Advertisment

ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଲଗାଯାଇଥିବା ବୋର୍ଡରୁ ଅକ୍ଷର ଲିଭିଗଲାଣି । ଝରକା କବାଟ୍ ଗୁଡିକ ଭାଙ୍ଗିଗଲାଣି  । ଏବେ ଏହା ପକ୍ଷୀମାନଙ୍କ ଆଶ୍ରୟ ସ୍ଥଳୀ ପାଲଟିଯାଇଥିବା ବେଳେ ନିଶାଡିମାନେ ଏଠାରେ ଆଡ୍ଡା ଜମାଉଛନ୍ତି । ଜିଲ୍ଲା ସଦର ମହକୁମା ଠୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଯାଏ ଜଣେ ବି ଡାକ୍ତର ନିଯୁକ୍ତ ହୋଇନାହାଁନ୍ତିି ।

ଏବେ ଜଣେ ଡାକ୍ତର ନିଯୁକ୍ତ ହୋଇଥିବା ଶୁଣିବାକୁ ମିଳୁଥିଲେ ମଧ୍ୟ ସେ କେବେବି ଏଠାକୁ ଆସିନାହାଁନ୍ତି । ତେବେ ସମସ୍ୟାର ସମାଧାନ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । କେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେବ ଏବଂ ଏଠାକାର ଲୋକଙ୍କ ଦୁଃଖ ଦୂର ହେବ ତାହା ସରକାରଙ୍କ ପଦକ୍ଷେପ ଉପରେ ନିର୍ଭର କରୁଛି ।