ଶଙ୍ଖ ଫୁଙ୍କନ୍ତୁ ସୁସ୍ଥ ରୁହନ୍ତୁ…ମନର ପବିତ୍ରତା ସହ ଶରୀରକୁ ବି ସୁସ୍ଥ ରଖେ ଶଙ୍ଖ ଧ୍ୱନି: ଦୈନିକ ୨୭ ଥର ଶଙ୍ଖନାଦ କଲେ ଅନେକ ରୋଗରୁ ମିଳିଥାଏ ମୁକ୍ତି

2,649

କନକ ବ୍ୟୁରୋ: ଓଡିଆ ସଂସ୍କୃତି ଏବଂ ପରମ୍ପରାରେ ଶଙ୍ଖର ସ୍ୱତନ୍ତ୍ରତା ରହିଛି । କିନ୍ତୁ ଶଂଖ ଫୁଙ୍କିବା ଦ୍ୱାରା ଯେ ଶରୀର ସୁସ୍ଥ ରହିଥାଏ ଏକଥା ଖୁବ୍ କମ୍ ଲୋକ ହିଁ ଜାଣିଥାନ୍ତି । ବାଲେଶ୍ୱରରେ ଏମିତି ହିଁ କିଛି ଶଂଖ ନାଦକୁ ନେଇ ଏକ ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ଦିନକୁ ୨୭ ଥର ଶଂଖ ଫୁଙ୍କିବାକୁ କୁହାଯାଇଥିଲା । ଆଉ ଏହି ପରୀକ୍ଷଣରୁ ଜଣାପଡିଥିଲା କି ଶଂଖ ଫୁଙ୍କିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ନାନା ପ୍ରକାରର ରୋଗକୁ ମଧ୍ୟ ଏଡାଇଦିଆଯାଇପାରିବ ।

 

ସନ୍ଧ୍ୟା ସମୟରେ ଶଙ୍ଖ ବାଜିଲେ ଶଂଖ ଶବ୍ଦର ପ୍ରକମ୍ପନ ଫଳରେ ପରିବେଶ ଶୁଦ୍ଧ ଓ ପବିତ୍ର ହୋଇଥାଏ ବୋଲି ଉଭୟ ଶାସ୍ତ୍ର ଓ ବିଜ୍ଞାନର ମତ ରହିଛି। କିନ୍ତୁ ଏବେ ଏହି ପ୍ରଥାରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯାହାର ଏକ ପ୍ରମୁଖ କାରଣ ହେଲା ପରିବର୍ତ୍ତିତ ଜୀବନ ଶୈଳୀ ।ଫଳରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହେଉଛି।ବିନା ଖର୍ଚରେ ଘରେ ରହି ଶଙ୍ଖକୁ ୪ଟି ମୁଦ୍ରାରେ ୨୭ଥର ଫୁଙ୍କିଲେ ମହିଳାମାନେ ୮୦ ବର୍ଷ ଯାଏ ନିରୋଗ ରହିପାରିବେ ବୋଲି ଯୋଗ ଅନୁସନ୍ଧାନ ସଂଗଠନର ବରିଷ୍ଠ ବିଶେଷଜ୍ଞ ଚିତ ରଂଜନ ସାହୁ ଦାବି କରିଛନ୍ତି । ଏଥିପାଇଁ ସେ ପାଖାପାଖି ୨ ଶହ ମହିଳାଙ୍କୁ ନେଇ ଏକ ରିସର୍ଚ୍ଚ ମଧ୍ୟ କରିଛନ୍ତି। ଶହେ ଜଣ ସୁସ୍ଥ ମହିଳାଙ୍କୁ ଶଙ୍ଖ ୨୭ଥର ଫୁଙ୍କିବାକୁ ଦିଆଯାଇଥିଲା ଓ ଆଉ ଶହେ ଜଣଙ୍କୁ ବାରଣ କରାଯାଇଥିଲା ।ତେବେ କିଛି ମାସ ପରେ ଶଙ୍ଖ ଫୁଙ୍କୁ ନଥିବା ୪୦ପ୍ରତିଶତ ମହିଳା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ ଶଙ୍ଖ ଫୁଂକୁଥିବା ମହିଳା ମାନେ ସମ୍ପୂର୍ଣ ସୁସ୍ଥ ଥିବା ଦେଖିବାକୁ ମିଳିଛି ।

ଯୋଗାଅଭ୍ୟାସ ଦ୍ୱାରା ବିଭିନ୍ନ ରୋଗରୁ ଉପଶମ ହେଉଥିବା ବେଳେ ଚାରୋଟି ମୁଦ୍ରାରେ ଶଙ୍ଖ ଫୁଙ୍କିଲେ ଯେପରି ଅର୍ଦ୍ଧାଚକ୍ରସନରେ ଶଙ୍ଖ ଫୁଙ୍କିଲେ ଥାଇରଏଡ, ଅସ୍ଥାମା, ଗଳା ନାସା ସମସ୍ୟା, ଏପରିକି ମୁଖମଣ୍ଡଳର ସୌନ୍ଦର୍ୟ୍ୟ ବଢିଥାଏ ବୋଲି କହିଛନ୍ତି ଡ଼ ଚିତ୍ତରଞ୍ଜନ ସାହୁ । ତେବେ ଆମ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ପ୍ରତ୍ୟଙ୍ଗକୁ ସକ୍ରିୟ ରଖିଲେ ଆମେ ସୁସ୍ଥ ଓ ସୁନ୍ଦର ରହିପାରିବା ଯାହାକୁ କେହିବି ବିନା ଅର୍ଥ ଖର୍ଚ କରି ଶଙ୍ଖ ଫୁଙ୍କି କରିପାରିବ। ଯାହା ଫଳରେ ଶାରୀରିକ ଓ ମାନସିକ ଭାବେ କେହିବି ସୁସ୍ଥ ରହିପାରିବେ।