ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା : ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ, ରିମାଣ୍ଡ ଆବେଦନ କରିପାରେ ପୋଲିସ

87

କନକ ବ୍ୟୁରୋ : ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଖୋଲିଛି କଟାମୁଣ୍ଡ ପଛର ରହସ୍ୟ । ଅଭିଯୁକ୍ତମାନେ ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ପରେ କେମିତି ମୁଣ୍ଡକୁ କାଟିଥିଲେ , ପୋଲିସ ଆଗରେ ଏସବୁର ସତ ମାନିଛନ୍ତି ଅଭିଯୁକ୍ତ । କେଉଁ ବିବାଦ ପାଇଁ ହୋଇଥିଲା ଏହି ହତ୍ୟା ଷଡଯନ୍ତ୍ର ତାର ମଧ୍ୟ ସତ ଓଗାଳିଛି ଅଭିଯୁକ୍ତ । ଆଜି ୨ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । କଟାମୁଣ୍ଡ ଘଟଣାର ଅଧିକ ଖୋଳତାଡ କରିବା ପାଇଁ  ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ।

ତେବେ ଅନ୍ଧାରୁଆ-ଦାସପୁର ରାସ୍ତାରୁ ଯେତେବେଳେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା, ସେତେବେଳେ ପୋଲିସ ପ୍ରଥମେ ମହିଳାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲା । ହତ୍ୟାକାଣ୍ଡର ଅଭିଯୁକ୍ତ ସଂଜୟ ଓ ଶ୍ରୀକାନ୍ତ ଧରାପଡିବା ପରେ ଏବେ ମହିଳାଙ୍କ ହତ୍ୟା ପଛର ଯୋଜନାର ପର୍ଦ୍ଦାଫାଶ ହୋଇଛି । ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ ପୁଷ୍ପଲତା । ପୁଷ୍ପଲତାଙ୍କ ସ୍ୱାମୀ ପ୍ରାଣ ହରାଇବା ପରେ ସଂଜୟଙ୍କ ସହିତ ସମ୍ପର୍କ ଗଢିଉଠିଥିଲା ପୁଷ୍ପଲତାଙ୍କର । କାରଣ ପୁଷ୍ପଲତାଙ୍କ ଘରେ ଭଡାରେ ରହୁଥିଲେ ସଂଜୟ । ତେବେ ଏହାର କିଛି ଦିନ ପରେ ପ୍ରିତିରଞ୍ଜନଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ହେଲେ ପୁଷ୍ପଲତା ବେଶି ଦିନ ରହିପାରିନଥିଲେ ପ୍ରିତିରଞ୍ଜନଙ୍କ ସହିତ । ପୁଣି ଥରେ ଫେରିଆସିଥିଲେ ସଂଜୟଙ୍କ ପାଖକୁ । ଗତ ଏକ ମାସ ହେବ ସଂଜୟଙ୍କ ସହିତ ଏକାଠି ରହୁଥିଲେ ପୁଷ୍ପଲତା ।

ଏକାଠି ରହିବା ସମୟରେ ପୁଷ୍ପଲତା କାହିଁକି ବିବାହ କଲେ, ଏହାକୁ ନେଇ ସଂଜୟ ପୁଷ୍ପଲତାଙ୍କୁ ଜୀବନରେ ମାରିଦେବାକୁ ରଚିଥିଲେ ଷଡଯନ୍ତ୍ର । ପ୍ରଥମେ ତଂଟି ଚିପି ହତ୍ୟା କଲେ । ପରେ ନିଜର ବନ୍ଧୁ ଚନ୍ଦୁ ଓରଫ ଶ୍ରୀକାନ୍ତଙ୍କୁ ଡାକି ମହିଳାଙ୍କ ଶବକୁ ଫୋପାଡିବା ପାଇଁ ଯୋଜନା କଲେ । ଏକ ବୋଲେରୋ ଗାଡିରେ ମହିଳାଙ୍କ ଶବକୁ ନେଇ ଅନ୍ଧାରୁଆ-ଦାସପୁର ରାସ୍ତାରେ ଫୋପାଡିବା ସହିତ ମୁଣ୍ଡ କାଟି ଦେଇଥିଲେ । ପରେ କଟାମୁଣ୍ଡକୁ ନେଇ ଶବ ମିଳିଥିବା ସ୍ଥାନରୁ ୨ କିଲୋମିଟର ଦୁରରେ ଭରତପୁର ଜଙ୍ଗଲରେ ଫୋପାଡିଦେଇ ଦଶପଲା ଚାଲିଯାଇଥିଲେ ।