କନକ ବ୍ୟୁରୋ : ଭୁବନେଶ୍ୱରରୁ ମିଳିଥିବା ମୁଣ୍ଡବିହୀନ ଶବର ପରିଚୟ ଖୋଜୁଛି ପୋଲିସ । ଏନେଇ ମହିଳାଙ୍କ ପୋଷ୍ଟର ଲଗାଇଛି ପୋଲିସ, ପରିଚୟ ଦେଲେ ୫୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା ମଧ୍ୟ ହୋଇଛି । ମିଳିଥିବା କଟାମୁଣ୍ଡ ମହିଳାଙ୍କ ପରିଚୟ ପାଇବା ପାଇଁ ଏଭଳି ପଦକ୍ଷେପ ନେଇଛି ପୁଲିସ । କେବଳ ସେତିକି ନୁହେଁ ଲୋକଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଇଛି କଟାମୁଣ୍ଡ ମହିଳାଙ୍କ ପୋଷ୍ଟର ।
ହିନ୍ଦି ଓ ଓଡିଆ ଭାଷାରେ ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ ତିଆରି ହୋଇଛି ପୋଷ୍ଟର । ଏଥିରେ ରହିଛି ମୃତଦେହ ନିକଟରୁ ମିଳିଥିବା ପୋଷାକ, ଡାହାଣ ହାତ କହୁଣୀ ତଳକୁ ଥିବା ଏକ ତ୍ରିଶୂଳ ଆକାର ଚିତା ଏବଂ ମୁଣ୍ଡ ବିହିନ ମୃତ ଦେହର ଚିତ୍ର । ପୋଷ୍ଟରରେ ଉଲ୍ଲେଖ ଅଛି, ମହିଳା ଜଣ ପ୍ରାୟ ୫ ଫୁଟ୍ ୩ ଉଚ୍ଚ ବିଶିଷ୍ଟ ଏବଂ ରଙ୍ଗ ଗହମ ବର୍ଣ୍ଣ । ତାଙ୍କ ଦେହର ଗଠନ ମଧ୍ୟମ । ତେବେ କୌଣସି ବ୍ୟକ୍ତି ଏମହିଳାଙ୍କ ସଂପର୍କରେ କୌଣସି ତଥ୍ୟ ପାଇଲେ ଚନ୍ଦକା ଥାନା ଅଧିକାରୀ ଏବଂ ଏସିପିଙ୍କୁ ଜଣାଇବା ପାଇଁ ଫୋନ ନମ୍ବର ମଧ୍ୟ ଦିଆଯାଇଛି ।
କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସରେ ଦ୍ୱିତୀୟ ଥର ପାଇଁ ମୁଣ୍ଡ ବିହିନ ମହିଳାଙ୍କର ଶବ ବ୍ୟବଚ୍ଛେଦ ହୋଇଛି । ପ୍ରଥମ ଶବ ବ୍ୟବଚ୍ଛେଦରେ ମହିଳାଙ୍କ ମୃତ୍ୟୁ ଶ୍ୱାସରୋଧରୁ ହୋଇଥିବା ଜଣାପଡିଛି । ତେଣୁ ମହିଳାଙ୍କୁ ତଂଟିଚିପି ହତ୍ୟା କରାଯିବା ପରେ, ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଥିବା ସ୍ପଷ୍ଟ କରିଛି ପୁଲିସ ।
ଗତ ୪ ତାରିଖ ଦିନ ଚନ୍ଦକା ଦାସପୁର ରୋଡ କଡରେ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହିନ ଶବ । କିନ୍ତୁ ମହିଳାଙ୍କ ପରିଚୟ ଖୋଜିବା ପାଇଁ ନାକେଦମ୍ ହେଲାଣି କମିଶନରେଟ୍ ପୁଲିସ ।