ଖବର କାଗଜରୁ ଦେଖି ଝିଅକୁ ଚିହ୍ନିଥିଲେ ପୁଷ୍ପଲତାଙ୍କ ମାଆ : ପୋଲିସକୁ ଖବର ଦେବା ପରେ ନିଜ ଯାଇ ଚିହ୍ନଟ କଲେ ମୃତଦେହ; କହିଲେ, ଅଭିଯୁକ୍ତଙ୍କୁ ଦିଆଯାଉ ଫାଶୀ

ସେପଟେ କାହାକୁ ମିଳିବ କମିସନରେଟ ପୁଲିସର ପୁରସ୍କାର ଟଙ୍କା ଉଠିଲା ପ୍ରଶ୍ନ

326

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ କଟାମୁଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ମହିଳା ଜଣକ ଭରତପୁର ବସ୍ତିର ପୁଷ୍ପଲତା ବୋଲି ଜଣାପଡିଛି । ରାସ୍ତାକଡ଼ରୁ ମହିଳା ମୁଣ୍ଡବିହୀନ ଶରୀର ମିଳିବା ପରେ ମହିଳାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚ୍ୟାଲେଂଜ ଥିଲା । ମହିଳା ଜଣକ କିଏ ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ୨୦ ଜଣ ପୁଲିସ ଅଧିକାରୀ ଆରମ୍ଭ କରିଥିଲେ ଛାନଭିନ । ମହିଳାଙ୍କ ପୋଷାକ ଓ ହାତରେ ଥିବା ତ୍ରିଶୁଳ ଟାଟୁ ଆଧାରରେ ପୁଲିସ ବନାଇଥିଲା ପୋଷ୍ଟର । ଭୁବନେଶ୍ୱର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲଗା ଯାଇଥିଲା । ମହିଳାଙ୍କ ବାବଦରେ ତଥ୍ୟ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।

ତେବେ ପୁଷ୍ପଲତାଙ୍କ ମା’ ଖବରକାଗଜରୁ ତାଙ୍କ ଝିଅକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଷ୍ପଲତା ମା’ଙ୍କ କହିବାନୁସାରେ, ଝିଅ ସହ କଥା ହେବା ଫୋନ୍ କଲା ବେଳକୁ ଝିଅ ଫୋନ୍ ସୁଇଚ୍ ଅଫ୍ ଥିଲା । ସଞ୍ଜୟକୁ ମଧ୍ୟ ଫୋନ କଲି ଝିଅ  ହେଲେ ତାର ବି ଫୋନ୍ ସୁଇଚ୍ ଅଫ୍ । ସଞ୍ଜୟ ଘରକୁ ଯାଇ ଦେଖିଲି ଘର ତାଲା ପଡିଛି । ଝିଅର ସ୍କୁଟି ଭି ନାହିଁ । ଝିଅ କୁଆଡେ ଗଲା ବୋଲି ମନରେ ସନ୍ଦେହ ସୃଷ୍ଟି ହେଲା । ତା ପରେ ଖବରକାଗଜରୁ ଝିଅର ସାଲ ଓ ଟାଟୁକୁ ଦେଖିଲି । ସେ ପିନ୍ଧିଥିବା ପୋଷାକ ମଧ୍ୟ ଚିହ୍ନିଲି । ପୋଲିସ ଷ୍ଟେସନ ଯାଇ ମୋ ଝିଅ ବୋଲି ଦାବି କରିଥିଲି ।

ସବୁଠାରୁ ବଡ କଥା ହେଉଛି ପୁଷ୍ପଲତାଙ୍କ ମା କହିଛନ୍ତି ମୋ ଝିଅକୁ ସୁନା ଗହଣା ପାଇଁ ସଞ୍ଜୟ ହତ୍ୟା କରିଛି । ସଞ୍ଜୟ ଜମା ଭଲ ଲୋକ ନୁହେଁ । ନିଜ ସ୍ତ୍ରୀକୁ ମଧ୍ୟ ବାଡାବାଡି କରେ । ସଞ୍ଜୟର ମଧ୍ୟ ପୁଅଟି ଅଛି । ସଞ୍ଜୟ ଆମ ଘରେ ଆଠବର୍ଷ ହେବ ଭଡା ରହୁଥିଲା । ସେବେଠାରୁ ଝିଅ ସହ ସମ୍ପର୍କ । ମୋ ଝିଅକୁ ଯିଏ ମାରିଛି ତାକୁ ଫାଶି ମିଳିବା ଦରକାର ।

ତେବେ ଏଠି ପ୍ରଶ୍ନ ଉଠୁଛି ପୁଲିସ ଘୋଷଣା କରିଥିବା ପୁରସ୍କାର ରାଶି ମିଳିବ କାହାକୁ ? ଯେହେତୁ ମହିଳାଙ୍କ ମାଆ ତାଙ୍କ ଝିଅକୁ ଚିହ୍ନିକି ଖବର ଦେଇଥିଲେ ତେଣୁ ନିୟମ ଦୃଷ୍ଟିରୁ ତାଙ୍କୁ ମାକୁ ଏହି ପୁରସ୍କାର ରାଶି ୫୦ ହଜାର ଟଙ୍କା ମିଳିବା କଥା । ସେପଟେ ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ମହିଳାଙ୍କ ମୃତଦେହ ନେବାକୁ ବ୍ୟବହୃତ ହୋଇଥିବା ବୋଲେରୋ ଗାଡିକୁ ପୁଲିସ ଜବତ କରିଛି ।