କନକ ବ୍ୟୁରୋ : ମମିତାଙ୍କୁ ନ୍ୟାୟ ପାଇଁ ଚାଲିଛି ପ୍ରତିବାଦ ରାଜନୀତି । ଓଡ଼ିଶା ଗସ୍ତରେ ଆସିବେ ୩ ଜଣିଆ କେନ୍ଦ୍ରୀୟ ବିଜେପି ଟିମ୍ । ସେପଟେ ୨୮ରେ ପୁଣି ବଲାଙ୍ଗୀର ଗସ୍ତ କରିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲା । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ବି ପ୍ରତିବାଦ କରିବ ବିଜେପି । ସେହିପରି ଯୁବ କଂଗ୍ରେସର ଚେତାବନୀ ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ୩୦ରେ ଘେରାଓ କରିବ ନବୀନ ନିବାସ ।
ଚଳିତ ମାସ ୨୮ରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର। ଅକ୍ଟୋବର ୨୮ରେ ସେ କଂଗ୍ରେସ ସାଧାରଣ ସଂପାଦକ ରଣଦୀପ ସୁର୍ଜେୱାଲା, ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ବିଧାନସଭା କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହିତ ମମିତା ମେହେର ହତ୍ୟାକାଣ୍ଡ ମାମଲାର ଅନୁଧ୍ୟାନ ପାଇଁ ବଲାଙ୍ଗୀର ଗସ୍ତ କରିବେ। ୨୯ରେ ଡ. ଚେଲ୍ଲାକୁମାର ଢେଙ୍କାନାଳ ଗସ୍ତ କରିବେ । ଏହା ପରେ ସେ ୩୦ରେ କଟକ ଗ୍ରାମାଞ୍ଚଳ ଓ ୩୧ରେ ନବରଙ୍ଗପୁର ଗସ୍ତ କରିବେ । ନଭେମ୍ବର ପହିଲାରୁ ଆରମ୍ଭ ହେଉଥିବା କଂଗ୍ରେସର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରରେ ରହିବେ । ସେ ଦିନ ଡ. ଚେଲ୍ଲାକୁମାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ ବୋଲି ସୂଚନା ଦେଇଛନ୍ତି ।
Follow Us