ମମିତା ମେହେର ହତ୍ୟାକାଣ୍ଡ ନେଇ ଥମୁନି ବିବାଦ : ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ବି ପ୍ରତିବାଦ କରିବ ବିଜେପି

ଯୁବ କଂଗ୍ରେସର ଚେତାବନୀ ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ୩୦ରେ ଘେରାଓ କରିବ ନବୀନ ନିବାସ

72

କନକ ବ୍ୟୁରୋ : ମମିତାଙ୍କୁ ନ୍ୟାୟ ପାଇଁ ଚାଲିଛି ପ୍ରତିବାଦ ରାଜନୀତି । ଓଡ଼ିଶା ଗସ୍ତରେ ଆସିବେ ୩ ଜଣିଆ କେନ୍ଦ୍ରୀୟ ବିଜେପି ଟିମ୍ । ସେପଟେ ୨୮ରେ ପୁଣି ବଲାଙ୍ଗୀର ଗସ୍ତ କରିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲା । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ବି ପ୍ରତିବାଦ କରିବ ବିଜେପି । ସେହିପରି ଯୁବ କଂଗ୍ରେସର ଚେତାବନୀ ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ୩୦ରେ ଘେରାଓ କରିବ ନବୀନ ନିବାସ ।

ଚଳିତ ମାସ ୨୮ରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର। ଅକ୍ଟୋବର ୨୮ରେ ସେ କଂଗ୍ରେସ ସାଧାରଣ ସଂପାଦକ ରଣଦୀପ ସୁର୍ଜେୱାଲା, ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ବିଧାନସଭା କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହିତ ମମିତା ମେହେର ହତ୍ୟାକାଣ୍ଡ ମାମଲାର ଅନୁଧ୍ୟାନ ପାଇଁ ବଲାଙ୍ଗୀର ଗସ୍ତ କରିବେ। ୨୯ରେ ଡ. ଚେଲ୍ଲାକୁମାର ଢେଙ୍କାନାଳ ଗସ୍ତ କରିବେ । ଏହା ପରେ ସେ ୩୦ରେ କଟକ ଗ୍ରାମାଞ୍ଚଳ ଓ ୩୧ରେ ନବରଙ୍ଗପୁର ଗସ୍ତ କରିବେ । ନଭେମ୍ବର ପହିଲାରୁ ଆରମ୍ଭ ହେଉଥିବା କଂଗ୍ରେସର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରରେ ରହିବେ । ସେ ଦିନ ଡ. ଚେଲ୍ଲାକୁମାର ଭୁବନେଶ୍ବର‌ରେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରି‌ବେ ବୋଲି ସୂଚନା ଦେଇଛନ୍ତି ।

ଗତକାଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍‌ଙ୍କ ନେତୃତ୍ବ‌‌ରେ ଶତାଧିକ କର୍ମୀ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ବାଟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ ଉପରକୁ ଟମାଟୋ ଓ ଅଣ୍ଡା ମାଡ଼ କରିବା ସହ ପୁଲିସ ଭ୍ୟାନ୍‌ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ବହୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା । ଏହି ଅବସରରେ ସଭାପତି ନୱାଜ ଅଭିଯୋଗ କରିଥିଲେ ଯେ ମମିତାଙ୍କ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରମାଣକୁ କୌଶଳକ୍ରମେ ନଷ୍ଟ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି । ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ କହିବାନୁଯାୟୀ ପୁଲିସ ଭ୍ୟାନ୍‌ ଭଙ୍ଗାରୁଜା କରିଥିବା କଂଗ୍ରେସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।