କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ସଫଳତା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଏଥିପାଇଁ ବିଧାନସଭାରେ ପହଂଚି ସାରିଛନ୍ତି ବିଧାୟକ । ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ବିଧାନସଭାରେ ପହଂଚି ସାରିଛନ୍ତି । ରାଜ୍ୟ ବିଧାନସଭାରେ ଏବେ ପାଖାପାଖି ୧୪୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସିନ୍ଦେଙ୍କ ମେଣ୍ଟ ଦଳ ବିଜେପି ପାଖରେ ଏକାକୀ ୧୦୬ ବିଧାୟକ ରହିଛନ୍ତି । ସିନ୍ଦେଙ୍କ ପାଖରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ମିଶାଇ ମୋଟ୍ ୫୦ ସଦସ୍ୟଙ୍କ ସମର୍ଥନ ଥିବା କୁହାଯାଉଛି । ତେଣୁ ସିନ୍ଦେ ଫ୍ଲୋର ଟେଷ୍ଟରେ ପାସ୍ କରିବେ ବୋଲି ଆଶା କରାଯାଉଛି ।
ସେପଟେ ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ବିଜେପି ସହିତ ମିଶି ନୂଆ ବାଚସ୍ପତି ଭାବେ ରାହୁଲ ନର୍ବେକରଙ୍କୁ ବିଜୟୀ କରିଛନ୍ତି । ନୂଆ ବାଚସ୍ପତି ହେବା ପରେ ଗତକାଲି ବିଳମ୍ବିତ ରାତିରେ ବିଧାୟକ ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧାରୀଙ୍କୁ ବିଦା କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଚିଠି ଜାରି କରାଯାଇଛି । ଏହା ସହ ସିନ୍ଦେଙ୍କୁ ବିଧାୟକ ଦଳ ନେତା ଭାବେ ପୁଣି ଥରେ ଅବସ୍ଥାପିତ କରିଛନ୍ତି । ସେହିପରି ସିନ୍ଦେ ଗୋଷ୍ଠୀ ପକ୍ଷରୁ ଭରତ ଗୋଗୋୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ୱୀକୃତି ଦିଆଯାଇଛି । ପୂର୍ବରୁ ଏହି ପଦରେ ଥିବା ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କୁ ହଟାଇ ଦିଆଯାଇଛି ।
ଆସ୍ଥା ଭୋଟ୍ ପୂର୍ବରୁ ବିଳମ୍ବିତ ରାତିରେ ଏହି ଘଟଣା ଶିବସେନା ପାଇଁ ବଡ଼ ଝଟକା ହୋଇଛି । ଫଳରେ ଉଦ୍ଧବଙ୍କ ପଟେ ଥିବା ୧୬ ବିଧାୟକ ଆସ୍ଥା ଭୋଟ୍ ପୂର୍ବରୁ ଗୋଗୋୱାଲେଙ୍କ ପକ୍ଷରୁ ଜାରି ହେବାକୁ ଥିବା ହ୍ୱିପ୍ ମାନିବାକୁ ବାଧ୍ୟ ହେବେ । ୧୬ ବିଧାୟକ ହ୍ୱିପ୍ ନମାନିଲେ ସେମାନେ ଅଯୋଗ୍ୟ ହୋଇପାରନ୍ତି । ଆସ୍ଥା ଭୋଟ୍ ପୂର୍ବରୁ ମୁମ୍ବାଇର ଏକ ହୋଟେଲରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ବିଧାୟକଙ୍କ ବୈଠକ ହୋଇଛି ।
ସିନ୍ଦେଙ୍କ ଶକ୍ତି ପରୀକ୍ଷା
- ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
- ରାଜ୍ୟ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୮୮
- ଗତ ମାସରେ ଶିବସେନା ବିଧାୟକ ରମେଶ ଲଟ୍କେଙ୍କ ଦେହାନ୍ତ ହୋଇଛି
- ଏନ୍ସିପିର ଦୁଇ ବିଧାୟକ ଅଜିତ ପାୱାର ଓ ଛଗନ ଭୁଜବଳ କୋଭିଡ୍ ପଜିଟିଭ୍
- ଜେଲରେ ଏନ୍ସିପିର ଆଉ ଦୁଇ ବିଧାୟକ ଅନୀଲ ଦେଶମୁଖ ଓ ନୱାବ ମଲ୍ଲିକ
- ତେଣୁ ଆଜି ଆସ୍ଥା ଭୋଟ୍ ବେଳେ ଗୃହରେ ଉପସ୍ଥିତ ରହିପାରନ୍ତି ୨୮୩ ବିଧାୟକ
- ବିଧାନସଭାରେ ଏବେ ପାଖାପାଖି ୧୪୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ
- ସିନ୍ଦେଙ୍କ ମେଂଟ ଦଳ ବିଜେପି ପାଖରେ ଏକାକୀ ୧୦୬ ବିଧାୟକ
- ସିନ୍ଦେଙ୍କ ପାଖରେ ବିଦ୍ରୋହୀ ଶିବ ସେନା ବିଧାୟକଙ୍କୁ ମିଶାଇ ୫୦ ଜଣଙ୍କ ସମର୍ଥନ
- ଏକନାଥ ସିନ୍ଦେଙ୍କୁ ୧୫୬ ବିଧାୟକଙ୍କ ସମର୍ଥନ ମିଳିବା ଆଶା
ଖେଳ ବଦଳାଇଲେ ନୂଆ ବାଚସ୍ପତି
- ବିଧାୟକ ଦଳ ନେତା ପଦରୁ ବିଦା ହେଲେ ଶିବସେନା ବିଧାୟକ ଅଜୟ ଚୌଧରୀ
- ସିନ୍ଦେଙ୍କୁ ବିଧାୟକ ଦଳ ନେତା ଭାବେ ପୁଣି ଥରେ କରାଗଲା ଅବସ୍ଥାପିତ
- ସିନ୍ଦେ ଗୋଷ୍ଠୀ ପକ୍ଷରୁ ଭରତ ଗୋଗୋୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ୱୀକୃତି
- ଉଦ୍ଧବଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଗଲା
- ମୁଖ୍ୟ ସଚେତକଙ୍କ ହ୍ୱିପ୍ ମାନିବାକୁ ବାଧ୍ୟ ହେବେ ଉଦ୍ଧବଙ୍କ ପଟେ ଥିବା ୧୬ ବିଧାୟକ
- ହ୍ୱିପ୍ ନମାନିଲେ ଅଯୋଗ୍ୟ ଘୋଷଣା ହୋଇପାରନ୍ତି ଠାକ୍ରେ ଗୋଷ୍ଠୀ
ଫ୍ଲୋର ଟେଷ୍ଟର ଟ୍ରେଲର !
- ଆସ୍ଥା ଭୋଟ୍ ପୂର୍ବରୁ ଗତକାଲି ଅଗ୍ନିପରୀକ୍ଷା ଦେଇଥିଲେ ସିନ୍ଦେ ସରକାର
- ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପିର ରାହୁଲ ନର୍ବେକର
- ବାଚସ୍ପତି ନିର୍ବାଚନରେ ବିଜେପ-ସିନ୍ଦେ ଗୋଷ୍ଠୀଙ୍କୁ ମିଳିଥିଲା ୧୬୪ ଭୋଟ୍
- ଏମ୍ଭିଏର ବାଚସ୍ପତି ପ୍ରାର୍ଥୀ ହୋଇଥିଲେ ଶିବସେନାର ରାଜନ ସାଲଭି
- ବାଚସ୍ପତି ନିର୍ବାଚନରେ ରାଜନ ସାଲଭିଙ୍କୁ ମିଳିଥିଲା ୧୦୭ ଭୋଟ୍
- ଗତକାଲି ଭଳି ଆଜି ହେଲେ ସରକାର ଆସ୍ଥା ଭୋଟ୍ ଜିତିବା ଆଶା ଉଜ୍ୱଳ