ଦିନ ଥିଲା ଅଫିସରଙ୍କୁ ସାଲ୍ୟୁଟ କରୁଥିଲେ ।ଏବେ ନିଜେ ବନିଗଲେ ଆଇଏଏସ୍ ଅଧିକାରୀ

5,114

କନକ ବ୍ୟୁରୋ: ଆମେ କହୁଛୁ ୨୦୨୨ ୟୁପିଏସସି ପରୀକ୍ଷାରେ ୬୬୭ ସ୍ଥାନ ଅଧିକାର କରିଥିବା ରାମ ଭଜନଙ୍କ କଥା । ୧୨ ବର୍ଷର ପରିଶ୍ରମ , ୭ଥର ବିଫଳତା , ଏହପରେ ଅଷ୍ଟମ ପ୍ରଚେଷ୍ଟାରେ ସଫଳତା ପାଇବା କିଛି କମ୍ କଥା ନୁହେଁ । ହେଲେ ଏଭଳି ଧୈର୍ଯ୍ୟର ପରାକାଷ୍ଠା ସାଜିଛନ୍ତି ରାମ ଭଜନ କୁମାର ।

ଦିନ ଥିଲା ଘରେ ଖାଇବାକୁ ନଥିଲା । ବାପା ମଜୁରୀ ଲାଗି କେଇଟା ମୂଲ ଆଣିଲେ ଚୁଲି ଜଳୁଥିଲା ନହେଲେ ପୁରା ପରିବାର ଖାଡା ଉପାସ ରହୁଥିଲେ । ହେଲେ ଆଜି ସେହି ଗରୀବ ଘର ପୁଅ ୟୁପିଏସସି ଭଳି କଠିନ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଆଇଏଏସ୍ ଅଧିକାରୀ ହେବାର ଗୌରବ ପାଇଛନ୍ତି ।

ପୁରା ପରିବାରରେ ରାମ ଭଜନ ହେଉଛନ୍ତି ପ୍ରଥମ ଗ୍ରାଜୁଏଟ୍ । ଅର୍ଥାଭାବ ଭିତରେ ପୁଅର ପାଢ ପଢା ପାଇଁ ସବୁବେଳେ ଚିନ୍ତିତ ରହୁଥିଲେ ରାମ ଭଜନଙ୍କ ବାପା । ଗ୍ରାଜୁଏସନ୍ ପରେ ଅକ୍ଳାନ୍ତ ପରିଶ୍ରମ କରି ପୁଲିସ ବିଭାଗରେ ଚାକିରି ପାଇଲେ । ବର୍ତ୍ତମାନ ରାଜ ଭଜନ ଦିଲ୍ଲୀ ପୁଲିସର ସାଇବର ସେଲ ସାଉଥ୍ ୱେଷ୍ଟରେ ହେଡ୍ କନଷ୍ଟେବଲ ଭାବେ କାର୍ଯ୍ୟରତ । ହେଲେ ଏହି ଚାକିରୀ ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ପିଲାବେଳୁ ବାପାଙ୍କ କଷ୍ଟ ଦେଖି କିଛି ଅଲଗା କରିବାକୁ ଚାହୁଁଥିଲେ । ବାପା ଚାହୁଁଥିଲେ ପୁଅ ତାଙ୍କ ବଡ ବାବୁ ହେଉ । ତାଙ୍କ ଦୁଃଖ ଯିବ । ବାପାଙ୍କ ଏହି ସ୍ୱପ୍ନକୁ ନଜର ସ୍ୱପ୍ନ କରିନେଲେ ରାମ ଭଜନ । ଆଉ ଲାଗିପଡିଲେ ୟୁପିଏସସି ପରୀକ୍ଷା ପ୍ରସ୍ତୁତିରେ । ଯେଉଁ ବର୍ଷ ସେ ପୁଲିସରେ ଯୋଗ ଦେଲେ ସେବେଠୁ ହିଁ ୟୁପିଏସସି ପାଇଁ ଲାଗିପଡିଲେ ।

ସବୁଠୁ ବଡ କଥା ହେଲା ରାମ ଭଜନଙ୍କ ଧୈର୍ଯ୍ୟ । ୨୦୦୯ରୁ ୨୦୨୨ ଦୀର୍ଘ ୧୨ ବର୍ଷ କିଛି କମ ସମୟ ନୁହେଁ । ଲଗାତାର ୭ ଥର ୟୁପିଏସସି ପରୀକ୍ଷା ଦେଲେ ହେଲେ ବିଫଳ ହେଲେ । ଶେଷ ପରୀକ୍ଷାର ପ୍ରଥମ ପ୍ରଚେଷ୍ଟା ଅର୍ଥାତ ଅଷ୍ଟମ ଚେଷ୍ଟାରେ ସଫଳ ହୋଇ ୯୩୩ ଜଣଙ୍କ ମଧ୍ୟରୁ ୬୬୭ ରାଙ୍କ ପାଇଲେ । ତେବେ ପରୀକ୍ଷା ରେଜଲ୍ଟ ବାହାରିବା ସମୟର ଅନୁଭୂତି ବଖାଣିଛନ୍ତି ରାମ ଭଜନ । କହିଛନ୍ତି ଫୋନ୍ ବାଜୁଥାଏ । ରିସିଭ କରିବା ବେଳକୁ ବାପାଙ୍କ ସ୍ୱର ଶୁଣିବାକୁ ମିଳିଥିଲା । ବାପା କାନ୍ଦି କାନ୍ଦି କଥା କହିପାରୁନଥାନ୍ତି । ଖାଲି ଏକିତି କହିଲେ ରାମ , ତୁ କରି ଦେଖାଇଲୁ ।’ ଏହାପଛକୁ ଚାରିଆଡୁ ତାଙ୍କ ପାଖକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଦିଲ୍ଲୀ ପୁଲିସ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇବା ସହ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ତାଙ୍କ ଅସୀମ ଧୈର୍ଯ୍ୟ, ଅକ୍ଳାନ୍ତ ପରିଶ୍ରମ, ଦୃଢ ଇଚ୍ଛା ଶକ୍ତି ନିଜ ସ୍ୱପ୍ନ ପ୍ରତି ଅତୁଟ ସମର୍ପଣକୁ ପ୍ରଶଂସା କରିଛି ଦିଲ୍ଲୀ ପୁଲିସ ।

ଏତିକିରେ କଥା ସରୁନି । ରେଜଲ୍ଟ ବାହାରିବା ପୂର୍ବରୁ ରାମ ଭଜନ ଆହୁରି ପାଦେ ଆଗେଇ ଯାଇଛନ୍ତି । ଓବିସି ହେବା କାରଣରୁ ତାଙ୍କୁ ୯ମଥର ପାଇଁ ଶେଷ ସୁଯୋଗ ମିଳିଛି । ଏହାକୁ ବି ସେ ହାତଛଡା କରିବାକୁ ଚାହୁଁନାହାଁନ୍ତି । ଆହୁରି ଭଳ ମାର୍କ ଆଣିବାକୁ ମେ ୨୮ ତାରିଖରେ ସେ ଶେଷ ୟୁପିଏସିି ପରୀକ୍ଷା ଦେବାକୁ ସ୍ଥିର କରିଛନ୍ତି । ବାସ୍ତବରେ ୧୨ ବର୍ଷର ଲଗାତାର ପରିଶ୍ରମ ପରେ ସଫଳତା ପାଇ ରାମ ଭଜନ ପୁରା ଯୁବ ସମାଜକୁ ଶିକ୍ଷା ଦେଇପାରିଛନ୍ତି ।