ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପାଇଥିଲେ, ଏବେ ପକୁଡ଼ି ବିକୁଛନ୍ତି । ପେଟ ପୋଷିବାକୁ ଝୁମ୍ପୁଡି ହୋଟେଲ ଖୋଲିଛନ୍ତି ମହିଳା ଯୁବ ଆଥଲେଟ ସନ୍ତୋଷୀ ଭୀମାରିପ

77

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଭାର ଉତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପାଇଥିଲେ, ଏବେ ପକୁଡ଼ି ବିକୁଛନ୍ତି । ରାୟଗଡା ଜିଲ୍ଲାର ମହିଳା ଯୁବ ଆଥଲେଟ ସନ୍ତୋଷୀ ଭୀମାରିପୁ, ଏବେ ପେଟ ପୋଷିବାକୁ ଝୁମ୍ପୁଡି ହୋଟେଲରେ ପକୋଡି ଛାଣିବାକୁ ବାଧ୍ୟ ହୋଇଛନ୍ତି । କ୍ରୀଡ଼ାକୁ କ୍ୟାରିୟର କରିବା ପାଇଁ ଦେଖିଥିବା ସ୍ୱପ୍ନ ଚୁରମାର ହେବାରେ ଲାଗିଛି । ଜାତୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତ ହେବାକୁ ନା ପାଖରେ ଅଛି ଅର୍ଥ ନା ମିଳୁଛି କିଛି ସରକାରୀ ସହାୟତା

ରାୟଗଡା ସହର କୋରାପୁଟ ରୋଡ ଇଲେକ୍ଟ୍ରି କଲୋନୀରେ ରହନ୍ତି ଯୁବ ଆଥଲେଟ୍ ସନ୍ତୋଷୀ ଭୀମାରିପୁ । ଗତବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ଜୁନିଅର ବର୍ଗ ରାଜ୍ୟସ୍ତରୀୟ ଭାର ଉତୋଳନ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ପାଇଛନ୍ତି । ଆଖିରେ ଅସୁମାରୀ ସ୍ୱପ୍ନ ଏହି କ୍ରୀଡାକୁ କ୍ୟାରିୟର କରିବେ, ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବେ । ହେଲେ ଏଥିପାଇଁ ଏବେ ଅର୍ଥ ସାଜିଛି ବାଧକ । ପିତାଙ୍କ ମୃତ୍ୟୁପରେ ପରିବାର ପ୍ରତିପୋଷଣ ପାଇଁ ମାଆ ଏକ ଝୁମ୍ପୁଡି ହୋଟେଲ ଖୋଲିଛନ୍ତି । ସେହି ହୋଟେଲରେ ପକୁଡ଼ି ଛାଣି ମାଆଙ୍କ କାମରେ ସହଯୋଗ କରୁଛନ୍ତି ସନ୍ତୋଷୀ ।

ଗତବର୍ଷ ରାଜ୍ୟସ୍ତୀୟ କ୍ରୀଡ଼ାରେ ଚାମ୍ପିଅନ ହେବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସନ୍ତୋଷୀଙ୍କୁ ସମ୍ମାନିତ କରାଯାଇଥିଲା । ତାଙ୍କ କ୍ୟାରିୟର ଗଢିବା ପାଇଁ ଆର୍ଥିକ ସହାୟତାର ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ହେଲେ ଆଜି ଯାଏଁ କୌଣସି ସହାୟତା ମିଳିନାହିଁ ।  ଏବେ ବି ଭଙ୍ଗା କୁଡିଆରେ ଅଭାବ ଅନାଟନରେ ରହି ସଫଳ ଆଥଲେଟ ହେବାର ସ୍ୱପ୍ନ ଦେଖୁଛନ୍ତି । ଆଶା ଅଛି, ସରକାରଙ୍କ ସହାୟତା ମିଳିଲେ ନିଜ ଲକ୍ଷ୍ୟସ୍ଥଳରେ ପହଁଚି ପାରିବେ ।