କନକ ବ୍ୟୁରୋ : କଥାରେ ଅଛି ବିପଦ ଯେତେବେଳେ ଆସେ ସାଙ୍ଗ ସାଥିକୁ ଧରି ଆସେ । ହସ ଖୁସିର ପରିବାରରେ କେହି କିଛି ବୁଝିବା ଆଗରୁ ସବୁକିଛି ଓଲଟପାଲଟ କରିଦିଏ । ନିମିଷକେ ତେଲ ଲୁଣର ସଂସାର ଉଜାଡ଼ିଦିଏ । ସବୁ ସ୍ୱପ୍ନ ଅଧାରେ ରହିଯାଏ । ଏହାର ଏକ ଉଦାହରଣ ହେଉଛନ୍ତି ଯାଜପୁର ଦାନଗଦି ବ୍ଲକ ରଙ୍ଗାହୁଡ଼ି ଗ୍ରାମର ମିନୁ ମହନ୍ତ । ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ଥିତି ବଦଳି ଯାଇଛି । ଘରର ଚାରି କାନ୍ଥ ଭିତରେ ତେଲ ଲୁଣର ସଂସାର କଥା ବୁଝୁଥିବା ମିନୁ ଆଜି ଘରୁ ପାଦ କାଢିଛନ୍ତି । ଦୃଢ଼ ମନ ବଳ ଓ ଦୃଢ଼ ଇଛା ଶକ୍ତି ଯୋଗୁଁ ଆତ୍ମ ନିର୍ଭରଶୀଳ ହୋଇଛନ୍ତି ।
ସ୍ୱାମୀ, ପୁଅ, ଝିଅ ଓ ଶାଶୁଙ୍କ ନେଇ ମିନୁ ସଂସାର । ସ୍ୱାମୀ କଳିଙ୍ଗନଗର ସ୍ଥିତ କାରଖାନାରେ ଶ୍ରମିକ ଭାବେ କାମ କରି ସୀମିତ ରୋଜଗାରରେ ସୁଖ ଦୁଃଖକୁ ନେଇ ଚାଲୁଥିଲା ସଂସାର । ହେଲେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ମିନୁଙ୍କ ପରିବାର ଉପରେ ଲଦି ହୋଇପଡିଲା ଦୁଃଖର ପାହାଡ଼ । ପୁଅ ଝିଅଙ୍କୁ ବଡ଼ ମଣିଷ କରିବାର ସ୍ୱପ୍ନ ଅଧାରେ ରହିଗଲା । ହେଲେ ସେହି ଦୁଃଖ ସମୟକୁ ଅତିକ୍ରମ କରି, ପରିବାର ପେଟକୁ ଦାନା ଦେବା ପାଇଁ ଘରୁ ଗୋଡ କାଢିଲେ ମିନୁ । ପ୍ରଥମେ କ୍ରସରରେ ଦିନ ମଜୁରିଆ ଭାବେ ପଥର ଭାଙ୍ଗିଲେ । କିଛି ବର୍ଷ ପରେ କଳିଙ୍ଗନଗର ସ୍ଥିତ ଜିନ୍ଦଲ କମ୍ପାନୀରେ ହାଉସ କିପିଙ୍ଗ କାମ କଲେ । ମିନୁଙ୍କ ଶୃଙ୍ଖଳିତ କାର୍ଯ୍ୟକୁ ଦେଖି କାରଖାନାର କର୍ତୃପକ୍ଷ ତାଙ୍କୁ ପରୀକ୍ଷା ମୂଳକ ଭାବେ ଓଭରହେଡ କ୍ରେନ ଚଳାଇବାକୁ ପରାମର୍ଶ ଦେଇଥିଲେ । ଦୃଢ଼ ଆତ୍ମବିଶ୍ୱାସ ଫଳରେ ମିନୁ ସେଥିରେ ସଫଳ ହୋଇଛନ୍ତି । ଜଣେ ମହିଳା ହୋଇ ଆଜି ସେ କାରଖାନାରେ କ୍ରେନ ଚଳାଇପାରୁଛନ୍ତି ।

Advertisment

ଯାଜପୁର ଜିଲ୍ଲା କଳିଙ୍ଗନଗର ଅନ୍ତର୍ଗତ ଜିନ୍ଦଲ ଷ୍ଟେନଲେସର ପ୍ରଥମ ମହିଳା ଓଭରହେଡ କ୍ରେନ୍ ପରିଚାଳକ ମିନୁ ମହାନ୍ତଙ୍କୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ତରଫରୁ "ୱିଙ୍ଗସ ଅଫ୍ ଷ୍ଟିଲ" ସମ୍ମାନ ଼ ପ୍ରଦାନ କରାଯାଇଛି । "ଲିଙ୍ଗ ଏବଂ ବିବିଧତା" ବର୍ଗରେ ସେ ଏହି ପୁରସ୍କାର ପାଇଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢୁଥିବା ୪୩ ବର୍ଷୀୟ ମିନୁଙ୍କ କଠିନ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ପ୍ରଶଂସା କରିଛନ୍ତି । ଦିଲ୍ଲୀରେ ପୁରସ୍କାର ଗ୍ରହଣ କରିବା ଅବସରରେ, ମିନୁ କହିଛନ୍ତି, " ଏହା ତାଙ୍କ ପାଇଁ ଏକ ବଡ ଦିନ । ତାଙ୍କ ମତରେ ସାହସୀ ହେବା ଛଡ଼ା ମହିଳାଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ମିନୁଙ୍କ ସାହସ ଓ ପରିଶ୍ରମକୁ ଆଇଏସଏ ପକ୍ଷରୁ ମାନ୍ୟତା ମିଳିଥିବାରୁ ପରିବାରରେ ଗର୍ବ ଅନୁଭବ କରିଛନ୍ତି ।