ତିର୍ତୋଲ ପରେ ବାଲେଶ୍ୱର ଜନସଭାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ । ଧର୍ମେନ୍ଦ୍ର କହିଲେ ଏସଏଚଜି ମହିଳାଙ୍କୁ ଶାଢୀ ଓ ଟଙ୍କା ବାଂଟୁଛି ବିଜେଡି । ଜବାବ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଲେ, ବିଜେଡ଼ି ଟଙ୍କା ବାଂଟିବା ନେଇ ପ୍ରମାଣ ଥିଲେ ନିର୍ବାଚନ କମିଶନଙ୍କୁ ଦେଉ ବିଜେପି ।

64

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଟଙ୍କା ଓ ଶାଢ଼ୀ ବାଂଟୁଥିବା ସେ ଅଭିଯୋଗ ଆଣିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ବାଲେଶ୍ୱରର ଯୁବକ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।

ତିର୍ତୋଲରେ ଭର୍ଚୁଆଲ୍ ରାଲି ପରେ ବାଲେଶ୍ୱର ସଦରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିବାବେଳେ ବଡ ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ନିର୍ବାଚନ ପାଇଁ ଏସଏଚଜି ସଦସ୍ୟଙ୍କ ଜରିଆରେ ବିଜେଡି ଟଙ୍କା ଓ ଶାଢ଼ୀ ବାଂଟୁଛି । ଏଥିସହ ସଭାମଂଚରୁ ବାଲେଶ୍ୱରକୁ ଅବହେଳା କରାଯିବ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ସେହିପରି ରାଜ୍ୟ ସରକାର କାମ ସୃଷ୍ଟି କରି ନପାରିବାରୁ ବାଲେଶ୍ୱରର ଯୁବକମାନେ ପରିବାର ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ମଧ୍ୟ ସେ ଅଭିଯୋଗ ବାଢ଼ିଛନ୍ତି ।

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ବିଜେଡ଼ି ଟଙ୍କା ବାଂଟିବା ନେଇ ପ୍ରମାଣ ଥିଲେ ନିର୍ବାଚନ କମିଶନଙ୍କୁ ଜଣାନ୍ତୁ ବିଜେପି ନେତା । ଏଥିସହ କିଏ ବିକାଶ କରିଛି ବାଲେଶ୍ୱରର ସଚେତନ ଭୋଟର ଭଲ ଭାବେ ଜାଣନ୍ତି ବୋଲି ନବ କହିଛନ୍ତି ।
ବାଲେଶ୍ୱର ଉପନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ଅଗ୍ନିପରୀକ୍ଷା ହୋଇଛି । ତେଣୁ ତିନି ପ୍ରମୁଖ ଦଳ ଘର ଘର ବୁଲି ପ୍ରଚାରକୁ ଜୋର ଦେଉଥିବାବେଳେ ଶୀର୍ଷ ନେତା ସ୍ଥାନୀୟ ପ୍ରସଙ୍ଗ ଉଠାଇ ଭୋଟରଙ୍କ ମନ ଜିଣିବା ପାଇଁ ଉଦ୍ୟମ କରୁଛନ୍ତି ।