କନକ ବ୍ୟୁରୋ : କଟକ ଜିଲ୍ଲା ପରିଷଦ ବୈଠକରେ ତୁମୁଳକାଣ୍ଡ । କଥା କଟାକଟିରୁ ଆରମ୍ଭ ହୋଇ କଥା ଠେଲାପେଲା ପର୍ଯ୍ୟନ୍ତ ଯାଇଛି । ଦୁଇ ସାଂସଦ ଭର୍ତୃହରି ମହତାବ, ବିଭୁପ୍ରସାଦ ତରାଇ ଏବଂ ବିଧାୟକ ସାରଦା ପ୍ରଧାନ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଠେଲାପେଲା ଓ ହୋହଲ୍ଲା ହୋଇଛି । ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦୁର୍ବ୍ୟବହାର ସହ ବିଜେପି ମୁହଁରୁ ପୂର୍ବ ବିଜେଡି ସରକାରଙ୍କ ଅପାରଗତା କଥା ଶୁଣି ଚିହିଁକି ଉଠିଥିଲେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ । ୭୦ ପ୍ରତିଶତ ଗାଁରେ ପାନୀୟ ଜଳ ପହଞ୍ଚିପାରିନି ବୋଲି ଜିଲ୍ଲାପରିଷଦ ସଦସ୍ୟମାନେ ଆଲୋଚନା କରିଥିଲେ ।

Advertisment

୨୪ ବର୍ଷ ବିଜେଡି ସରକାରରେ ରହିଥିବା ବେଳେ ମାହାଙ୍ଗାରୁ ପୂର୍ବତନ ବିଧାୟକ ପ୍ରତାପ ଜେନା ନିଜେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ଥିଲେ । ଏହା ସତ୍ତ୍ଵେ କଟକ ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ଲୋକଙ୍କୁ ପିଇବା ପାଣି ମିଳିପାରିଲା ନାହିଁ ବୋଲି ବିଧାୟକ ସାରଦା ପ୍ରଧାନ କହିଥିଲେ । ଏହା ଶୁଣି ଚିହିଁକି ଉଠିଥିଲେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ । ଫାଇଲ ଫୋପାଡ଼ି ବିଧାୟକ ସାରଦାଙ୍କ ନିକଟକୁ ମାଡ଼ିଯାଇଥିଲେ । ଦୀର୍ଘ ସମୟ ଧରି ହୋହାଲ୍ଲା ପାଟିତୁଣ୍ଡ ପରେ ସ୍ୱାଭାବିକ ହୋଇଥିଲା ଜିଲ୍ଲା ପରିଷଦ ବୈଠକ ।