କନକ ବ୍ୟୁରୋ: ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରିଲେ ଗାଁ ଲୋକେ । ଦୀର୍ଘ ୬୦ ବର୍ଷ ପରେ ଗାଁକୁ ଯାତାୟତ ପାଇଁ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ତିଆରି ହେଉଛି ରାସ୍ତା । ହାତରେ କୋଡ଼ି କୋଦାଳ ଧରି ମାଟି ସମତୁଲ କରିବା ସହ ୪ କିଲୋମିଟର ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ । ଏ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ହାଟଡ଼ିହି ବ୍ଲକ ଅଞ୍ଚଳରୁ । ସାଳନ୍ଦୀ ନଦୀରେ ହଦଗଡ଼ ଡ୍ୟାମ୍ ନିର୍ମାଣ ପରେ ଅନେକ ଲୋକ ବିସ୍ଥାପିତ ହୋଇ ଜଙ୍ଗଲ ଭିତରେ ବସତି ସ୍ଥାପନ କରିଥିଲେ । ଜଙ୍ଗଲ ଭିତରେ ରହୁଥିବା ଏହି ଲୋକମାନେ ନିଜ ପଞ୍ଚାୟତକୁ ଆସିବା ପାଇଁ ୪ କିଲୋମିଟର ରାସ୍ତା ନଦୀ ପାର ହେବାକୁ ପଡ଼ୁଛି । ନିଜର ଦୈନନ୍ଦିନ କାମ ପାଇଁ ପ୍ରତିଦିନ ଅତ୍ୟନ୍ତ ବିପଦ ସଙ୍କୁଳ ଭାବେ ହୁଲି ଡଙ୍ଗାରେ ସାଳନ୍ଦୀ ନଦୀ ପାର ହେଉଛନ୍ତିି ଲୋକେ । ଏନେଇ ପ୍ରଶାସନକୁ ବାରମ୍ବାର ଦାବି କରିବା ପରେ ନିଜ ପାଇଁ ନିଜେ ରାସ୍ତା ତିଆରି କରୁଛନ୍ତି ଗ୍ରାମବାସୀ ।

Advertisment

ଜଙ୍ଗଲ ଭିତରେ ଥିବା ଦଲକି, ରତ୍ନମରା, ଯୁଣପଶି ଓ ପିତାନାଉ ଭଳି ୪ଟି ଗାଁର ପାଖାପାଖି ୩ହଜାରରୁ ଅଧିକ ଲୋକ ଯାତାୟତ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ୧୯୬୮ ମସିହାରୁ ବିସ୍ଥାପିତ ହୋଇ ଯେଉଁ ଜଙ୍ଗଲରେ ଲୋକମାନେ ବସତି ସ୍ଥାପନ କରିଛନ୍ତି ସେହି ଜଙ୍ଗଲକୁ ୧୯୭୮ ମସିହାରେ ହସ୍ତୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା । ଅଭୟାରଣ୍ୟରେ ଜନବସତିକୁ ଜଙ୍ଗଲ ବିଭାଗ ବାରଣ କରୁଥିବା ସତ୍ୱେ ଏଠାକାର ଲୋକେ ଭିଟାମାଟି ଛାଡ଼ିବାକୁ ନାରାଜ ଅଛନ୍ତି । ଅନ୍ୟପଟେ ରାସ୍ତାଟି ଅଭୟାରଣ୍ୟ ଭିତରେ ରହୁଥିବାରୁ ସରକାରୀ ଯୋଜନାରେ ସାମିଲ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସମସ୍ୟା ଭୋଗୁଛନ୍ତି ୪ଟି ଗାଁର ଲୋକେ । ଏବେ ସପ୍ତାହକୁ ଗୋଟିଏ ଦିନ ଶ୍ରମ ଦାନ କରି ରାସ୍ତା ତିଆରି କରୁଛନ୍ତି ଗ୍ରାମବାସୀ । ଯାହା ଚର୍ଚ୍ଚା ବିଷୟ ପାଲଟିଛି ।