ନନ୍ଦିଗ୍ରାମରେ ଦିଦି କେମିତି ହୋଇଥିଲେ ଆହତ? ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଟିମ୍ ଦେଲା ପୂରା ରିପୋର୍ଟ, ପଢ଼ନ୍ତୁ…

512

କନକ ବ୍ୟୁରୋ: ନନ୍ଦିଗ୍ରାମରେ କେମିତି ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ? ଏହା ଉପରେ ସାରା ଦେଶର ନଜର ରହିଥିବାବେଳେ ଏବେ ଏହାକୁ ନେଇ ଆସିଛି ରିପୋର୍ଟ । ଏଥିରେ ଉଲ୍ଲେଖ ରହିଛି ମମତାଙ୍କ ଉପରେ ହୋଇନଥିଲା ଆକ୍ରମଣ । ମମତାଙ୍କ ଆଘାତ ଏକ ଦୁର୍ଘଟଣାରୁ ହୋଇଛି । ଜାତୀୟ ନିର୍ବାଚନ କମିଶନଙ୍କୁ ଏପରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି , ଘଟଣାର ଅନୁଧ୍ୟାନ କରିଥିବା ଦୁଇ ଜଣିଆ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଘାତ ସମସ୍ୟାକୁ ନେଇ ବିଶେଷ ପର୍ଯ୍ୟବେକ୍ଷକ ଟିମ୍ , ଶନିବାର ସଂଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ବିଶେଷ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ଅଜୟ ନାୟକ ଏହି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି । ଏପରିକି ଆଜି ଏହି ରିପୋର୍ଟକୁ ପୁଣିଥରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ ନିର୍ବାଚନ କମିଶନ ବୋଲି ସୂଚନା ମିଳିଛି ।

ଏହି ରିପୋର୍ଟରେ ଦର୍ଶା ଯାଇଛି ଘଟଣା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡାସୁରକ୍ଷା ମଧ୍ୟରେ ରହିଥିଲେ । କୌଣସି ପ୍ରକାର ଆକ୍ରମଣ ଅଭିଯୋଗକୁ ଏହି ବିଶେଷ ପର୍ଯ୍ୟବେକ୍ଷକ ଟିମ୍ ଖାରଜ କରିଦେଇଛି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କେମିତି ଲାଗିଥିଲା ଆଘାତ , ସେ ସମ୍ପର୍କରେ , ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲାପନ ବନ୍ଦୋପାଧ୍ୟାୟ ମଧ୍ୟ ଜାତୀୟ ନିର୍ବାଚନ କମିଶନଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଗତକାଲି ସେ ଦେଇଥିବା ରିପୋର୍ଟକୁ ନେଇ ଅସନ୍ତୁଷ୍ଟ ଥିଲେ ରାଜ୍ୟ ନିର୍ବାଚନ ଆୟୋଗ । ଏହି ରିପୋର୍ଟରେ ପୁରା ଘଟଣା ଥିଲେ ମଧ୍ୟ , ମମତାଙ୍କୁ କିପରି ଲାଗିଲା ଆଘାତ, କାହିଁକି ଘଟିଲା ଘଟଣା ତାହା ଲେଖାନଥିଲା ।

ଏପରିକି ପଶ୍ଚିମବଙ୍ଗ ମୁଖ୍ୟ ସଚିବ ତାଙ୍କର ପ୍ରଥମ ରିପୋର୍ଟରେ ଭିଡର ଚାପ, ଖରାପ ରାସ୍ତା, ରାସ୍ତା କଡରେ ଥିବା ଲୁହା ଖମ୍ୱ, ଗାଡିର କବାଟ ଜୋରରେ ବନ୍ଦ ହେବା, ମମତାଙ୍କ ଗୋଡ ବାହାରକୁ ଥିବା କାରଣରୁ ମମତା ବାନାର୍ଜୀଙ୍କୁ ଆଘାତ ଲାଗିଥିବା ଉଲ୍ଲେଖ କରିଥିବା ସୂଚନା ମିଳିଛି । ଦ୍ୱିତୀୟ ରିପୋର୍ଟରେ କଣ ଉଲ୍ଲେଖ କରିଛନ୍ତି ତାହା ଜଣାପଡିନାହିଁ । ଗତ ୧୦ ତାରିଖରେ ମମତା ନନ୍ଦିଗ୍ରାମରେ ନାମାଙ୍କନ କରି ଫେରିବା ସମୟରେ , ବୁରୁଲିଆ ଗାଁ ନିକଟରେ ତାଙ୍କ ଗୋଡରେ ଜୋରଦାର ଆଘାତ ଲାଗିଥିଲା ।