କାଳିଆ ଆଗରେ ସଭିଏଁ ସମାନ। ଗହଳି ଭିତରେ ବଡଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ 

126

କନକ ବ୍ୟୁରୋ: ଭଗବାନଙ୍କ ଆଗରେ ସମସ୍ତେ ସମାନ । ଭଗବାନଙ୍କ ଆଗରେ ନଥାଏ ଧନୀ, ଗରିବର ଭେଦଭାବ । ଆଉ ତାର ନିଦର୍ଶନ ବଡଦାଣ୍ଡରେ ଦେଖିବାକୁ ମିଳିଛି । ଭାଇ-ଭଉଣୀଙ୍କୁ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡଦାଣ୍ଡକୁ ବାହାରିଥିବାରୁ, ଦର୍ଶନ ପାଇଁ ଶରଧାରବାଲି ଜନ ସମୁଦ୍ର ପାଲଟିଛି । ଜାତି ଧର୍ମ, ବର୍ଣ୍ଣ ନିିର୍ବିଶେଷରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଉ ଏହି ଗହଳି ଭିତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗହଳି ସତ୍ତେ୍ୱ ବି ଶରଧାବାଲିରେ ଚାଲିଚାଲି ଯାଇ, ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି  । ଏଥିସହ ମହାପ୍ରଭୁଙ୍କ ରଥ ଦଉଡି ଧରି ଟାଣିଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଶ୍ରୀକ୍ଷେତ୍ରକୁ ଯାଇ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବଡଦାଣ୍ଡରେ ବଡ ଠାକୁରଙ୍କ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ପାଖରୁ ଦେଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅପୂର୍ବ ମୁହୁର୍ତ୍ତର ହାତ ଛଡା କରିନାହାନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣାରେ, ଶରଧାବାଲିରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।

ରାଜ୍ୟ କ୍ୟାବିନେଟର ବହୁ ମନ୍ତ୍ରୀ ଓ ବିଧାୟକ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କେବଳ ନେତା, ମନ୍ତ୍ରୀ ନୁହଁନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବିଶିଷ୍ଟ ବ୍ୟକ୍ତି । ଜଗନ୍ନାଥ ସବୁ ଧାର୍ମିକ ସମନ୍ୱୟର ଦେବତା ହୋଇଥିବାରୁ ତାଙ୍କ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ ।