ଚାଷ ଦେଇଛି ରୋଜଗାର, ଖଣି ଅଞ୍ଚଳରେ ପରିବା ଚାଷ କରି ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ଲାଭ

102

କନକ ବ୍ୟୁରୋ : ଖଣି ଅଂଚଳର କ୍ଷେତରେ ହସୁଛି ସୁନା ଫସଲ । ଧାଡ଼ି ପ୍ରଣାଳୀରେ ବାଇଗଣ, ବିଲାତି, କୋବି, ବିନ୍ସ ଚାଷ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସଫଳ ଚାଷୀ ଗଙ୍ଗାମୁଣ୍ଡା । ଖଣି ଅଂଚଳ ଭାବେ ଜଣାଶୁଣା ଯୋଡା ପୌରାଂଚଳର ୬ନମ୍ବର ୱାର୍ଡର ବାସିନ୍ଦା ଗଙ୍ଗାମୁଣ୍ଡା । ଖଣି ଖାଦାନରେ କାମଧନ୍ଦା କରି ନିଜର ଜୀବିକା ନିର୍ବାହ କରୁଥିଲେ । କିଛି ବର୍ଷ ହେଲା ଖଣି କାମରେ ମେସିନର ବ୍ୟବହାର ଯୋଗୁଁ ଗଙ୍ଗାଙ୍କୁ କମଧନ୍ଦା ମିଳୁନଥିଲା । ଆଉ ପରିବାର ଚଳାଇବାରେ ବେଶ କଷ୍ଟକର ହୋଇପଡ଼ୁଥିଲା । ଶେଷରେ ହାରନମାନି ଚାଷ କାମକୁ ଆପଣାଇ ଭଲ ଫସଲ କରିଛନ୍ତି । ଆଉ ଏଥିରେ ତାଙ୍କ ସ୍ତ୍ରୀ ତାଙ୍କୁ ସହଯୋଗ କରୁଛନ୍ତି । କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ଆହୁରି ଅଧିକା ଚାଷ କରିପାରନ୍ତେ ବୋଲି କହିଛନ୍ତି ଗଙ୍ଗାମୁଣ୍ଡା ।

ଭୌଗୋଳିକ ଦୃଷ୍ଟିକୋଣରୁ ବଣ ପାହାଡ ଘେରା ଏହି ଅଂଚଳରେ ଅନେକ ଛୋଟବଡ଼ ଲହାପଥର ଖଣି ରହିଛି । ଏଠାକାର ମାଟି ପଥୁରିଆ ହୋଇଥିବାରୁ ଚାଷ କରିବା ଏତେ ସହଜ ବ୍ୟାପାର ହୋଇନଥାଏ । ହେଲେ ଏହି ମାଟିରେ ପରିବା ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ଗଙ୍ଗାମୁଣ୍ଡା ।

ଲୌହ ମାଟିରେ ବିଭିନ୍ନ ପ୍ରକାରର ପରିବା ଫସଲ କରି ନିଜେ ଆତ୍ମଭିର୍ଭରଶୀଳ ହେବା ସହ ସ୍ଥାନୀୟ ବଜାରର ଚାହିଦା ପୁରଣ କରୁଛନ୍ତି । ତାଙ୍କ ଜମିରୁ ଉତ୍ପାଦିତ ହେଉଥିବା ବାଇଗଣ, କୋବି, ବିନ୍ସ, ବିଲାତି ଭଳି ପରିବାକୁ ବ୍ୟବସାୟୀ ମାନେ କିଣି ବଜାରରେ ବିକ୍ରି କରୁଛନ୍ତି ।

ନିଜସ୍ୱ ଉଦ୍ୟମରେ ଚାଷ କରି ସଫଳତା ପାଇଛନ୍ତି ଗଙ୍ଗାମୁଣ୍ଡା । ଚାଷ କାମ ଯୋଗୁଁ ଖୁସିରେ ଚଳୁଛି ଗଙ୍ଗାମୁଣ୍ଡାଙ୍କ ସଂସାର । ଯାହା ଅନ୍ୟମାନଙ୍କ ପ୍ରେରଣା ପାଲଟିଛି । ତେଣୁ ଏହି କାମ ପାଇଁ ଗଙ୍ଗାମୁଣ୍ଡାଙ୍କୁ ସ୍ଥାନୀୟ ଅଂଚଳରେ ବେଶ ପ୍ରସଂଶା ମଧ୍ୟ ମିଳୁଛି । କିଛି ସରକାରୀ ସହାୟତା ମିଳିଲେ ଚାଷ କାମରେ ଆହୁରି ଉନ୍ନତି ଆଣିପାରନ୍ତେ ଗଙ୍ଗାମୁଣ୍ଡା ।