ଚାଷ ଦେଇଛି ସଫଳତା: ୫୦ ଏକର ଜମିରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରି କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର

148

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଯାହାକୁ ପ୍ରମାଣିତ କରିଛନ୍ତି ଜଣେ ଉଦ୍ୟମି ଚାଷୀ । ୪୦ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶରୁ ଆସି ଓଡ଼ିଶାର ରାୟଗଡ଼ାରେ ରହୁଛନ୍ତି ଦୋଡଲା ଶ୍ରୀନିବାସଙ୍କ ପରିବାର । ଆଉ ଏଠାରେ ଚାଷକୁ ବୃତି କରି ସେ ବେଶ ସଫଳତା ପାଇଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ସେ ତାଙ୍କ ଚଷ ଜମିରେ ରୋଜଗାର ଦେଇଛନ୍ତି ।

କ୍ଷେତରେ ହସୁଛି ସୁନା ଫସଲ । ବାଇଗଣ, ଲାଉ, କଲରା, ବିନ୍ସ, କାକୁଡି, ଝୁଡୁଙ୍ଗ, କଂଚାଲଙ୍କା ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି ରାୟଗଡ଼ା କୋଲନରା ବ୍ଲକ ତୋଳାଗୁଡା ଗାଁର ଦୋଡଲା ଶ୍ରୀନିବାସ । ସବୁଠାରୁ ବଡ଼ କଥା ହେଉଛି ଏହି ଚାଷ ସେ ଜୈବୀକ ସାର ପ୍ରୟୋଗ କରିଛନ୍ତି । ପ୍ରାୟ ୫୦ ଏକର ଜମି ଲିଜ୍ ନେଇ ସେ ଫଳାଇଛନ୍ତି ସୁନାର ଫସଲ । ଏହି ଚାଷ କାମରେ ସେ ଏକା ନୁହେଁ ଆଉ ୫୦ ଜଣଙ୍କୁ ଜୀବୀକା ଯୋଗାଇଛନ୍ତି । ତାଙ୍କ କ୍ଷେତରେ କାମ କରି କିଛି ରୋଜଗାର କରିପାରୁଛନ୍ତି ସ୍ଥାନୀୟ ଅଂଚଳର ଲୋକ ।

ତାଙ୍କ ଜମିରୁ ଉତ୍ପାଦିତ ହେଉଥିବା ପନିପରିବା ସ୍ଥାନୀୟ ଅଂଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁଛି । ଜୈବୀକ ପ୍ରଣାଳୀରେ ଚାଷ ହେଉଥିବାରୁ ତାଙ୍କ ପନିପରିବା କିଣିବା ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ବେଶ ଚାହିଦା ରହିଛି । ୪୦ ବର୍ଷ ପୁର୍ବେ ଆନ୍ଧ୍ରପ୍ରଦେଶରୁ ରାୟଗଡା ଚାଲିଆସିଥିଲେ ଶ୍ରୀନିବାସଙ୍କ ପରିବାର । ୮ ବର୍ଷ ହେଲା ସେ ଚାଷ କାମ କରୁଛନ୍ତି । ୪ ଏକର ଜମି କିଣି ପ୍ରଥମେ ସେ ଆମ୍ବ, ଲେମ୍ବୁ, ପିଜୁଳି, ଅମୃତଭଣ୍ଡା ଚାଷ କରୁଥିଲେ । ଏଥିରୁ ଭଲ ଲାଭ ମିଳିବାରୁ ସେ ଏବେ ୫୦ ଏକର ଜମି ଲିଜ ନେଇ ଚାଷ କାମକୁ ଆହୁରି ବଢ଼ାଇଛନ୍ତି ।

ଚାଷ କାମରେ ସଫଳତାକୁ ନେଇ ଚାଷୀ ଶ୍ରୀନିବାସ କୁହନ୍ତି, କିଛି ବ୍ୟବସାୟ କରିଥିଲେ ସେ ନିଜେ ଉପକୃତ ହୋଇଥାଆନ୍ତେ । କିନ୍ତୁ ଏଭଳି କାମ କରିବା ଦ୍ୱାରା ସେ ନିଜେ ଉପକୃତ ହେବା ସହ ଅନ୍ୟମାନେ ମଧ୍ୟ ଉପକୃତ ହେଉଛନ୍ତି । ଯାହା ତାଙ୍କୁ ବେଶ ଖୁସି ଦେଇଛି ।