ଦୈନିକ ଭାସ୍କର ଫାଙ୍କିଛି ୭ ଶହ କୋଟି ଟଙ୍କାର ଟ୍ୟାକ୍ସ । ସୂଚନା ଦେଲା ଆଇଟି ବିଭାଗ ।

124

କନକ ବ୍ୟୁରୋ: ଦୈନିକ ସମ୍ବାଦପତ୍ର ‘ଦୈନିକ ଭାସ୍କର’ ୭ଶହ କୋଟି ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ଆଣିଛି ଆଇଟି ବିଭାଗ  । ମୁମ୍ବାଇ , ଦିଲ୍ଲୀ, ଭୋପାଳ, ଅହମଦାବାଦ, ଇନ୍ଦୋର, ନୋଇଡାରେ ଥିବା ୨୦ରୁ ଅଧିକ ଘରୋଇ ଓ ବ୍ୟବସାୟିକ ସଂସ୍ଥା ଉପରେ ଚଢଉ କରି ଜବତ ହୋଇଥିବା କାଗଜପତ୍ରରୁ ଏହାର ପ୍ରମାଣ ମିଳିଛି ବୋଲି ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ କୁହାଯାଇଛି । କେବଳ ଗଣମାଧ୍ୟମରେ ନୁହେଁ ବରଂ ସେୟାର ହୋଲଡିଂ, ଟେକ୍ସଟାଇଲ ଓ ରିଅଲ ଇଷ୍ଟେଟ୍ ଆଦି କ୍ଷେତ୍ରରେ ୧୦ରୁ ଅଧିକ ବିଜିନେସ୍ ସେଣ୍ଟର ଚଳାଉଛି   ‘ଦୈନିକ ଭାସ୍କର’ ଗ୍ରୁପ୍ । ଏସବୁ ବିଜନେସ୍ ଗ୍ରୁପର ମାଲିକ ନୁହେଁ ବରଂ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀଙ୍କ ନାଁରେ ଚାଲିଛି ।

ଏନେଇ ଆଇଟି ବିଭାଗ ସମ୍ପୃକ୍ତ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ ବି ସେମାନେ ଏ ବାବଦରେ କିଛି ଜାଣିନଥିବା କହିଥିଲେ । ସେମାନଙ୍କ ଠାରୁ କେବଳ ସେମାନଙ୍କ ଆଧାରକାର୍ଡ କପି ଓ ଡିଜିଟାଲ ସିଗ୍ନେଚର ନିଆଯାଇଥିଲା । ଯେହେତୁ ସେମାନେ ଦୀର୍ଘଦିନ ହେବ ଗ୍ରୁପରେ କାମ କରିଆସୁଛନ୍ତି ତେଣୁ ବିନା ଦ୍ୱିଧାରେ ଆବଶ୍ୟକ ପ୍ରମାଣପତ୍ର ଦେଇଦେଇଥିଲେ । ଆଉ କିଛି ସେୟାର , ଗ୍ରୁପ ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ମଧ୍ୟ ଜଣାପଡିଛି । ଚଢଉବେଳେ ବିଭିନ୍ନ ସ୍ଥାନରୁ ୨୬ଟି ଲକର ମଧ୍ୟ ଜବତ କରିଛି ଆଇଟି ବିଭାଗ । ଏନେଇ ଦୈନିକ ଭାସ୍କରର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ମୁତାବକ, ଗତ ୨୨ ତାରିଖରେ  ଅତର୍କିତ ଭାବେ ଭାସ୍କରର ଡିଜିଟାଲ ‘ଭାରତ ସମାଚର’ ଉପରେ ଆଇଟି  ରାତିଅଧିଆ ଅତର୍କିତ ଚଢଉ ହୋଇଥିଲା । ତେବେ ବିଭାଗର ଯାଞ୍ଚ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ଏବଂ ଆହୁରି ତଥ୍ୟ ଆଗକୁ ଆସିପାରେ ବୋଲି ବିଭାଗୀୟ ଯାଞ୍ଚ ଅଧିକାରୀ କହିଛନ୍ତି । ଅନ୍ୟପଟେ ଆଇଟିର ଏପରି ଚଢଉକୁ ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି  କହିଥିଲେ ଦେଶର ବିଭିନ୍ନ ଗଣମାଧ୍ୟମ  । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ  ହୋଇଥିବା ମୃତ୍ୟୁ ସଂଖ୍ୟା, ସିଲିଣ୍ଡର ରାଜନୀତି ଆଦିକୁ ନେଇ ଭାସ୍କର ଯେଉଁ ଖବର ଛାପିଥିଲା ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ସରକାରଙ୍କ ଚିନ୍ତା ବଢିଯାଇଥିଲା । ତେଣୁ ସରକାର ଜାଣିଶୁଣି ଏପରି କାଣ୍ଡ ଘଟାଉଥିବା ଅନେକ ଗଣମାଧ୍ୟମ ପକ୍ଷରୁ ମତ ପ୍ରକାଶ ପାଇଛି ।