କନକ ବ୍ୟୁରୋ: ଦେଶରେ ୮ଟି ନୂଆ ରେଳ ପ୍ରକଳ୍ପ ପାଇଁ ସିସିଇଏ ବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ ଓଡ଼ିଶା ପାଇଁ ଖୁସି ଖବର ଆଣିଦେଇଛି । ୮ଟି ପ୍ରକଳ୍ପ ମଧ୍ୟରୁ ଓଡ଼ିଶା ପାଇଁ ୬ଟି ପ୍ରକଳ୍ପ ରହିଛି । ୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏଥିସହ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଓ ଶିଳ୍ପରେ ସହାୟକ ହେବ ବୋଲି କୁହାଯାଉଛି ।

  • ରେଳମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • କହିଲେ ପାଞ୍ଚ ମିନିଟର ଚା’ରେ ମିଳିଲା ୬ଟି ରେଳ ପ୍ରକଳ୍ପ

ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ୬ଟି ପ୍ରକଳ୍ପ ମିଳିବା ପରେ ରେଳମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସରେ କଥା ହୋଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଗସ୍ତ ସମୟରେ ରେଳମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାକୁ ମୁଖ୍ୟମନ୍ତ୍ରୀ ମନେପକାଇଛନ୍ତି । ଭିସିରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନୂଆ ପ୍ରକଳ୍ପ ଓଡ଼ିଶାର ବିକାଶଧାରାକୁ ଆଗକୁ ନେବ । କଳାହାଣ୍ଡି, ନବରଙ୍ଗପୁର, ମାଲାକାନଗିରି, କେନ୍ଦୁଝର, ମୟୁରଭଞ୍ଜ ଆଦି ଅଞ୍ଚଳରେ ଲାଭବାନ ହେବ। ତେବେ ପୂର୍ବଦୋୟ ଯୋଜନାରେ ଭାରତ ସରକାର ଓଡ଼ିଶାରେ ରେଳ ନେଟୱାର୍କ ସୁଦୃଢ କରିବାକୁ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ୬ଟି ନୂଆ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହି ପ୍ରକଳ୍ପ ଗୁଡିକ ହେଲା ....

  • ଗୁଣୁପୁର-ଥିରୁବାଲି ୭୩ କିଲୋମିଟର ରେଳପଥ
  • ଜୁନାଗଡ-ନବରଙ୍ଗପୁର ୧୧୬ କି.ମି ରେଳ ଲାଇନ୍
  • ବାଦାମପାହାଡ-କେନ୍ଦୁଝରଗଡ ୮୨.୬ କିଲୋମିଟର
  • ବାଙ୍ଗିରିପୋଷୀ-ଗୋରୁ ମୋହିଷାଣି ୮୫.୬୦ କି.ମି
  • ମାଲକାନଗିରି-ଭଦ୍ରାଚଲମ- ପନ୍ଦୁରାଙ୍ଗାପୁରମ- ୧୭୩.୬୧ କି.ମି
  • ବୁରାମାରା- ମୟୂରଭଞ୍ଜ-ଚକୁଳିଆ -୫୯.୯୬ କିମି ନୂଆ ରେଳପଥ

୧୫ହଜାର କୋଟି ଟଙ୍କାର ୬ଟି ନୂଆ ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ ବୋଲି କହିଛନ୍ତି ମୋହନ ମାଝୀ। ଅନ୍ୟପଟେ ବିଜେଡି କଟାକ୍ଷ କରି କହିଛି ୭ବର୍ଷ ପୂର୍ବେ ବଜେଟ ଅନୁମୋଦିତ ପ୍ରକଳ୍ପକୁ ଏବେ ପ୍ରଚାର କରାଯାଉଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ହେବାକୁ ଥିବା ୬ଟି ନୂଆ ପ୍ରକଳ୍ପକୁ ୨୦୩୦-୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ । ଆଉ ଏହି ପ୍ରକଳ୍ପ ଓଡ଼ିଶାରେ ନିଯୁକ୍ତି ସୃଷ୍ଟି ସହ ଗମନାଗମନକୁ ସୁବିଧା କରିବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି ।