ରୋମରୁ ଫେରିଲେ ୨୬୩ ଭାରତୀୟ ଛାତ୍ରଛାତ୍ରୀ । ଏୟାର୍ ଇଣ୍ଡିଆର ସ୍ୱତନ୍ତ୍ର ବିମାନଯୋଗେ ସ୍ୱଦେଶ ଆସିଲେ ବିଦ୍ୟାର୍ଥୀ

5,402

କନକ ବ୍ୟୁରୋ: ଇଟାଲୀର ରାଜଧାନୀ ରୋମରରେ ଫସିଥିବା ୨୬୩ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଭାରତରେ ପହଁଚିଛନ୍ତି । ସେମାନେ ଦିଲ୍ଲୀ ବିମାନବନ୍ଦରରେ ପହଁଚିବା ପରେ ସେମାନଙ୍କର ସ୍କ୍ରିନିଂ କରାଯାଇଛି । ତାପରେ ସମସ୍ତଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଚାୱଲା ସ୍ଥିତ ଆଇଟିବିପି କ୍ୟାମ୍ପକୁ କ୍ୱାରେଂଟାଇନରେ ରଖାଯାଇଛି । ଇଟାଲିରେ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ପାଖାପାଖି ୫ହଜାର ହୋଇଥିବାବେଳେ ଏହି ଭାରତୀୟ ଛାତ୍ରମାନେ ସେଠାରେ ଫସି ରହିଥିଲେ । ତେଣୁ ସେମାନଙ୍କୁ ଆଣିବା ପାଇଁ ଗତକାଲି ଭାରତ ସରକାର ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବମାନ ପଠାଇଥିଲେ । ଆଜି ସକାଳ ୯ଟା ୧୫ରେ ସେମାନେ ଦିଲ୍ଲୀରେ ଆସି ପହଁଚିଥିଲେ ।

ସେପଟେ, କରୋନା ସଂକ୍ରମଣରେ ଦେଶରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୬୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଁଚିଛି । ତେବେ ସେହି ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଡାଇବେଟିସ୍, ବ୍ଲଡ ପ୍ରେସର ଓ ହୃଦରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି । ପୂର୍ବରୁ କରୋନା ଆକ୍ରାନ୍ତ ଯୋଗୁଁ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପଂଜାବରେ ଜଣେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି । । ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ବର୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୩ ରହିଛି । ଓଡିଶାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।