ପାରା-ବ୍ୟାଡମିଣ୍ଟନ୍ କ୍ରୀଡ଼ାରେ କମାଲ କରିଥିବା ପୁଅକୁ ପୁରସ୍କାର । କିଟର ପୂର୍ବତନ ଛାତ୍ରଙ୍କୁ ୩୬ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କଲା ଏଚଡିଏଫସି ବ୍ୟାଙ୍କ୍ ।

124
କନକ ବ୍ୟୁରୋ: ପାରା-ବ୍ୟାଡମିଣ୍ଟନ୍ କ୍ରୀଡ଼ାରେ କମାଲ କରିଥିବା ପୁଅକୁ ପୁରସ୍କାର । କିଟର ପୂର୍ବତନ ଛାତ୍ରଙ୍କୁ ପ୍ରୋତ୍ସାହିତ କରିଛି ଏଚଡିଏଫସି ବ୍ୟାଙ୍କ୍ । ପାରା-ବ୍ୟାଡମିଂଟନ୍ରେ ଦୁଇଟି ଆନ୍ତର୍ଜାତିକ ପୁରସ୍କାର ସହ ୧୩ଟି ଜାତୀୟ ପୁରସ୍କାର ପାଇଥିବା ଗଡେଲା ଦିଲେଶ୍ୱର ରାଓଙ୍କୁ ୩୬ ହଜାର ଟଙ୍କାର ଚେକ୍ ପ୍ରଦାନ ସହ ପୁରସ୍କୃତ କରିଛି ଏଚଡିଏଫ୍ସି ବ୍ୟାଙ୍କ୍ । ଯାହାକୁ ତାଙ୍କୁ ଆଗାମୀ ଦିନରେ ଆହୁରି ସଫଳତା କ୍ଷେତ୍ରରେ ପ୍ରୋତ୍ସାହିତ କରିବ ।
ଦିଲେଶ୍ୱର ଗଡେଲା ୨୦୦୯ରେ ସିଓଲଠାରେ ଅନୁଷ୍ଠିତ ୱାର୍ଲଡ ପାରା-ବ୍ୟାଡମିଂଟନ୍ ଚାମ୍ପିଅନସିପରେ ମେନ୍ସ ଡବଲ୍ସରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । କେବଳ ଏତିକି ନୁହେଁ ଆହୁରି ୧୩ଟି ଆନ୍ତର୍ଜାତିକ ପାରା-ବ୍ୟାଡମିଣ୍ଟନ୍ କ୍ରୀଡ଼ାରେ ଭାଗ ନେଇ ଗୌରବ ଆଣିଛନ୍ତି ଦିଲେଶ୍ୱର । ଏବେ ଦିଲେଶ୍ୱର ପାରା-ବ୍ୟାଡମିଂଟନରେ ଜାତୀୟ ସ୍ତରରେ ୭ମ ରାଙ୍କରେ ଥିବା ବେଳେ ବିଶ୍ୱରେ ୨୬ ତମ ର୍ୟାଙ୍କରେ ଅଛନ୍ତି ।
ତେବେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଏହି କ୍ରୀଡ଼ାବିତ୍ଙ୍କ୍ୁ ଶୁକ୍ରବାର ସମ୍ମାନିତ କରିଛନ୍ତି । ଆଉ ଏହି ଅବସରରେ କିଟ୍ ଏଚଡିଏଫ୍ସି ଶାଖା ପରିଚାଳକ ନିଖିଲ ପାତ୍ର, ଏଚଡିଏଫସି କ୍ଲଷ୍ଟର ହେଡ୍ ଏବଂ ଉପ ସଭାପତି ଅନିମେଶ ବିଶ୍ୱାଳ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । କିଟର ପୂର୍ବତନ ଛାତ୍ର ଥିବା ଦିଲେଶ୍ୱର ଆହୁରି ଅଧିକ ଉଚ୍ଚକୁ ଯାଆନ୍ତୁ ବୋଲି କାମନା କରିଥିଲେ ଅଚ୍ୟୁତ ସାମନ୍ତ ।
ସବୁଠାରୁ ବଡ଼କଥା ହେଲା ପାରା-ବ୍ୟାଡମିଂଟନରେ ଏବେ ଦେଶର ୭ମ ସ୍ଥାନରେ ଥିବା ଦିଲେଶ୍ୱର ଆଗକୁ ଆହୁରି ସଫଳତା ଆଣନ୍ତୁ ବୋଲି ପରିବାରବର୍ଗଙ୍କଠୁ ଆତ୍ମୀୟ ମାନେ ଆଶା ରଖିଛନ୍ତି । ତେବେ ଦିଲେଶ୍ୱର ଆସନ୍ତା ୨୭ରୁ ଏପ୍ରିଲ ୫ ତାରିଖ ଯାଏଁ ଦୁବାଇରେ ହେବାକୁଥିବା ତୃତୀୟ ଆନ୍ତର୍ଜାତୀୟ ଫାଜା-ଦୁବାଇ ପାରା-ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ସେଥିପାଇଁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଏକ ନୂଆ ବ୍ୟାଡମିଂଟନ କିଟ୍ ପ୍ରଦାନ କରିଥିଲେ ।