କର୍ଣ୍ଣାଟକ ନାଟକରେ ପଡିଲା ଯବନିକା: ଆସ୍ଥା ଭୋଟ୍ ପୂର୍ବରୁ ପରାଜୟ ସ୍ୱୀକାର କଲେ ୟେଦୁରପ୍ପା । ଆସନ୍ତା ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

34

କନକ ବ୍ୟୁରୋ: ରାଜନୀତିର ଉତ୍ସାହ ଓ ହତାଶ ଭିତରେ ଆସନ୍ତା ବୁଧବାର ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଜେଡିଏସ୍ ମୁଖ୍ୟ ଏଚଡି କୁମାର ସ୍ୱାମୀ । କଂଗ୍ରେସ ଓ ଜେଡିଏସ ମେଂଟ ସରକାରର ଶପଥ ଗ୍ରହଣ ପାଇଁ ଔପଚାରିକ ଘୋଷଣା ହୋଇଛି । ବୁଧବାର ପୂର୍ବାହ୍ନରେ ସରକାର ଗଠନ କରି ଶପଥ ନେବେ ଜେଡିଏସ କଂଗ୍ରେସ ମେଂଟ । ସବୁଠାରୁ ବଡ କଥା ହେଉଛି ଏହି ସମୟରେ ଧର୍ମନିରପେକ୍ଷ ଦଳ ଗୁଡିକୁ ଏକଜୁଟ କରି ଶକ୍ତି ପ୍ରଦର୍ଶନ କରିବେ ଜେଡିଏସ ଓ କଂଗ୍ରେସ । ଏହା ସହ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିବା ପାଇଁ ସାରା ଦେଶର ଆଂଚଳିକ ଦଳ ମାନଙ୍କୁ ବି ଏକ ବଡ ସନ୍ଦେଶ ଦେବ କଂଗ୍ରେସ-ଜେଡିଏସ ମେଂଟ ।

ସେପଟେ,କର୍ଣ୍ଣାଟକରେ ବିଜେପିକୁ ଶାସନରୁ ଦୂରେଇ ରଖିବା ପରେ ବେଶ୍ ଉତ୍ସାହିତ କଂଗ୍ରେସ ଶିବିର । ଆସନ୍ତା ୨୩ ତାରିଖରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କଂଗ୍ରେସ ବହୁ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରୁଛି । ଏହି ସୁବିଧାକୁ ହାତଛଡା କରିବାକୁ କଂଗ୍ରେସ ନେତୃତ୍ୱ ଚାହୁଁ ନାହାନ୍ତି । ତେଣୁ ଏହି ଉତ୍ସବରେ ସାମିଲ ହେବାକୁ ବିଏସପି ମୁଖ୍ୟ ମୟାବତୀ, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ତାଲିକାରେ ଏନସିପି ମୁଖ୍ୟ ଶରଦ ପାୱାର, ଟିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଆନ୍ଧ୍ର ପ୍ରଦେଶ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ସମେତ ବହୁ ବିରୋଧୀ ଦଳର ପ୍ରତିନିଧିଙ୍କ ନାଁ ରହିଥିବା ସୂଚନା ମିଳିଛି । ଏହି ଅବସରରେ୍ ୨୦୧୯ ନିର୍ବାଚନ ପାଇଁ ମହାମେଂଟର ନୂଆ ରୂପରେଖ ପ୍ରସ୍ତୁତି ପାଇଁ ଏକ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ବିଜେପି ବିରୋଧରେ ଲଢିବା ପାଇଁ ସମସ୍ତ ଦଳକୁ ଏକାଠି ହେବାକୁ ପଡିବ ବୋଲି କଂଗ୍ରେସ ବିଶ୍ୱାସ କରୁଛି ।

ତେବେ କଂଗ୍ରେସ ସହ ଜେଡିଏସ ମେଂଟ ସରକାରର ସ୍ଥାୟିତ୍ୱ ନେଇ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା ସନ୍ଦେହ ପ୍ରକଟ କରିଛନ୍ତି । କହିଛନ୍ତି କୁମାରସ୍ୱାମୀଙ୍କ ସରକାର ବେଶୀ ଦିନ ତିଷ୍ଠି ପାରିବ ନାହିଁ । ତେଣୁ ଖୁବ୍ ଶୀଘ୍ର କର୍ଣ୍ଣାଟକରେ ଆଉଥରେ ନିର୍ବାଚନ ହେବ । ଏବଂ ନିର୍ବାଚନରେ ବହୁମତରେ ନିର୍ବାଚିତ ହୋଇ ପୁଣି ସରକାର ଗଢ଼ିବେ । ତେବେ ଆସନ୍ତୁ ନଜର ପକାଇବା ପୂର୍ବରୁ କର୍ଣ୍ଣାଟକରେ ଗଠନ ହୋଇଥିବା ମେଂଟ ସରକାର କେତେ ଦିନ ତିଷ୍ଠିଛନ୍ତି ।

କଂଗ୍ରେସ- ଜେଡିଏସ ମେଂଟ

() ୨୦୦୪ ମସିହାରେ ହୋଇଥିଲା କଂଗ୍ରେସ-ଜେଡିଏସ୍ ମେଂଟ ସରକାର

() ମେଂଟ ସରକାର ମାତ୍ର ଗୋଟିଏ ବର୍ଷ ୮ମାସ ଚାଲିପାରିଥିଲା,୨୦୦୬ରେ ଭାଙ୍ଗି ଯାଇଥିଲା ମେଂଟ

() ଜେଡିଏସର କୁମାରସ୍ୱାମୀଙ୍କ ସମର୍ଥକ ସମର୍ଥନ ପ୍ରତ୍ୟାହାର କରିନେବାରୁ ସରକାର ଭାଙ୍ଗି ଯାଇଥିଲା

() କଂଗ୍ରେସ ପାଖରେ ୬୫ ଆସନ ଥିବାବେଳେ ଜେଡିଏସ୍ ପାଖରେ ରହିଥିଲା ୫୮ଟି ଆସନ

ଜେଡିଏସ୍—ବିଜେପି ମେଂଟ

() ଜେଡିଏସ-କଂଗ୍ରେସ ମେଂଟ ଭାଙ୍ଗିବା ପରେ ୨୦୦୬ରେ ହୋଇଥିଲା ବିଜେପି- ଜେଡିଏସ୍ ମେଂଟ

() ମାତ୍ର ୨୦ମାସ ରହିଥିଲା ବିଜେପି- ଜେଡିଏସ୍ ମେଂଟ, ୨୦୦୮ ମସିହାରେ ଭାଙ୍ଗି ଯାଇଥିଲା

() ମେଂଟରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୟେଦ୍ୟୁରପ୍ପା ଉପମୁଖ୍ୟମନ୍ତ୍ରୀ ହୋଇଥିଲେ

() ମେଂଟ ସରକାର ଗଠନ ସମୟରେ ଉଭୟ କୋଡିଏ କୋଡିଏ ମାସ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ତ ରହିଥିଲା

() କୁମାରସ୍ୱାମୀ ୨୦ ମାସ ମୁଖ୍ୟମନ୍ତ୍ରୀ ହେବା ପରେ ପଦ ଛାଡିବାକୁ ଅରାଜି ହୋଇଥିଲେ ।

() ଫଳରେ ଭାଙ୍ଗି ଯାଇଥିଲା ମେଂଟ ସରକାର

() ୨୦୦୮ ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା