ମନ୍ଦିରର ୨ ହଜାର କେଜି ସୁନା ତରଳାଇବା ମାମଲା, ତାମିଲନାଡୁ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା

183

କନକ ବ୍ୟୁରୋ : ମାଡ୍ରାସ ହାଇକୋର୍ଟ ତାମିଲନାଡୁ ମନ୍ଦିରର ୨ ହଜାର କେଜି ସୁନା ତରଳାଇବା ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କୁ ରୋକ ଲଗାଇଛନ୍ତି । କୋର୍ଟ କହିଛନ୍ତି କି ମନ୍ଦିରର ଟ୍ରଷ୍ଟି ହିଁ କେବଳ ଏହା ଉପରେ ନିଷ୍ପତ୍ତି ନେଇପାରିବେ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ସରକାର ପାଖାପାଖି ୨୧୩୮ କେଜି ସୁନା ତରଳାଇବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିଛି ଲୋକ ବିରୋଧ କରି ମାଡ୍ରାସ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗକାରୀ ସେମାନଙ୍କ ଅଭିଯୋଗରେ ଲେଖିଥିଲେ କି ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା ସୁନା ବିନା ଯାଂଚରେ ତରବରିଆ ଭାବେ ତରଳାଇବା ରାଜ୍ୟ ସରକାରଙ୍କ ଉର୍ଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ପି.ଡି ଆଦିକେସବାଲଙ୍କ ବେଞ୍ଚ ଆଗରେ ରାଜ୍ୟସରକାର ଦଲିଲ ରଖିଥିଲେ କି ମନ୍ଦିରର ଏହି ସୁନାକୁ ତରଳାଇ ତାକୁ ବିସ୍କୁଟରେ ପରିଣତ କରିବା ରାଜ୍ୟ ସରକାରଙ୍କ ଅଧିକାର । ୨୪ କ୍ୟାରେଟ୍ ସୁନା ବିସ୍କୁଟକୁ ବ୍ୟାଙ୍କରେ ବନ୍ଧକ ରଖି ସେଥିରୁ ଯେଉଁ ଟଙ୍କା ମିଳିବ ତାହା ମନ୍ଦିରର ବିକାଶ କାର୍ଯ୍ୟରେ ଲାଗିବ ବୋଲି ରାଜ୍ୟ ସରକାରଙ୍କ ଓକିଲ କୋର୍ଟରେ ଜବାବ୍ ରଖିଥିଲେ । ଓକିଲ କହିଥିଲେ କି ଏହି ପ୍ରକ୍ରିୟା ଦୀର୍ଘ ୫୦ ବର୍ଷ ହେବ ଚାଲୁ ରହିଛି । ହେଲେ ସରକାରୀ ଓକିଲଙ୍କ ଏଭଳି ଯୁକ୍ତିକୁ ବିରୋଧ କରିଥିଲେ ଅଭିଯୋଗକାରୀଙ୍କ ଓକିଲ । ଅଭିଯୋଗକାରୀଙ୍କ ଓକିଲ କୋର୍ଟଙ୍କୁ କହିଥିଲେ କି ସେପ୍ଟେମ୍ବର ୯ ତାରିଖରେ ଗଠିତ ହୋଇଥିବା ସରକାରଙ୍କ ଅଦେଶ ନା କେବଳ ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋସମେଣ୍ଟ ଆକ୍ଟ, ଏସିଏଣ୍ଟ ମାନ୍ୟୁମେଣ୍ଟ ଆକ୍ଟ, ଜୁଏଲ ରୁଲ୍ସ ଆଦିର ଓଲଙ୍ଘନ କରୁନାହିଁ ଏହାସହ କୋର୍ଟଙ୍କ ଆଦେଶ ବିରୋଧରେ ବି କାମ କରୁଛି ।

କହିରଖୁ କି ଚଳିତ ବର୍ଷ ଜୁନ ୭ ତାରିଖରେ ମାଡ୍ରାସ ହାଇକୋର୍ଟ ମନ୍ଦିରଗୁଡିକର ସମ୍ପତ୍ତି ମୂଲ୍ୟାଙ୍କନ ଓ ଏହାର ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ଏହା ମାନିଥିଲେ କି ୬୦ ବର୍ଷ ଧରି ରାଜ୍ୟରେ ଏଭଳି କରାଯାଉ ନାହିଁ । ରାଜ୍ୟ ସରକାର ଠିକଭାବେ ଅଡିଟ୍ କରିବା ବଦଳରେ ଘୋଷଣା କରିଥିଲେ କି କେବଳ ଦେବାଦେବୀଙ୍କ ଆଭୁଷଣ ଓ ଶୃଙ୍ଗାରରେ ବ୍ୟବହୃତ ହେଉଥିବା ଗହଣାକୁ ଛାଡି ବାକି ସୁନା ଓ ରୂପାକୁ ତରଳାଇ ଦିଆଯିବ । ଏହାସହ ତାମିଲନାଡୁ ମନ୍ଦିରରେ ତରଳା ହେବାକୁ ଥିବା ସୁନାର ପରିମାଣ ୨୧୩୮ କେଜି ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।