ପୋଲିସ କିଭଳି ଜନତାଙ୍କ ସେବା କରିଥାଏ ତାକୁ କାମରେ କରି ଦେଖାଇଛନ୍ତି ଜଣେ ହାବିଲଦାର । ନିଷ୍ଠାପର କର୍ତ୍ତବ୍ୟ କରି ୩ କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇ ଦେଲେ ହାବିଲଦାର ନରେନ୍ଦ୍ରନାଥ ସୋରେନ ।

144

କନକ ବ୍ୟୁରୋ : ହୃଦୟ ଜିଣିଲେ ହାବିଲଦାର । ଜଣେ ସୁରକ୍ଷାକର୍ମୀ କିଭଳି ଜନତାଙ୍କ ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ଶପଥ କରିଥାଏ । ଆଉ ସେହି ନିଷ୍ଠାପର କର୍ତ୍ତବ୍ୟ କରି ଦେଖାଇଛନ୍ତି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଏହି ହାବିଲଦାର । ଜଣେ ସାଧାରଣ ହାବିଲଦାର ନରେନ୍ଦ୍ରନାଥ ସୋରେନଙ୍କ ଯୋଗୁଁ ବଞ୍ଚିଯାଇଛି ୩ ନୀରିହ ଶିଶୁଙ୍କ ଜୀବନ । ବର୍ତ୍ତମାନ ହାବିଲଦାରଙ୍କ ଏହି କାମ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ହାବିଲଦାରଙ୍କ ଏହି କାମ ଶୁଣିଲେ ଆପଣ ବି ସାବାସୀ ନଦେଇ ରହିପାରିବେନି । କେନ୍ଦ୍ରାପଡାର ଟାଉନ ପାଣ୍ଡିରେ କାର୍ଯ୍ୟରତ ଥିବା ହାବିଲଦାର ନରେନ୍ଦ୍ରନାଥ ସୋରେନ ନିଜ ଡ୍ୟୁଟିକୁ ଏଭଳି ଭାବେ ତୁଲାଇଛନ୍ତି ଯେଉଁଥିପାଇଁ ତାଙ୍କୁ ଏସପି ମଧ୍ୟ ପ୍ରଶଂସା କରିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରେ ହାବିଲଦାର ନରେନ୍ଦ୍ରନାଥ ସୋରେନ ଚେକିଂ କରୁଥାନ୍ତି । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ଅଟକାଇଥିଲେ ସୋରେନ । ଆଉ କାର ଚାଳକ ଜଣକ ମଦ୍ୟପାନ କରିଥିବା ଜାଣିବାକୁ ପାଇଥିଲେ ନରେନ୍ଦ୍ରନାଥ । ଏହାପରେ ଗାଡିକୁ ଆଗକୁ ଯିବାକୁ ଛାଡିନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗାଡି ଭିତରେ ବ୍ୟକ୍ତିଙ୍କ ସହ ଥିଲେ ୩ ଜଣ କୁନି କୁନି ପିଲା । ମଦ୍ୟପ ଚାଳକ ଜଣକ ଯଦି ଗାଡି ଚଲାଇ ଯିବେ ତେବେ ଦୁର୍ଘଟଣା ସୁନିଶ୍ଚିତ ବୋଲି ଜାଣି ସାରିଥିଲେ ନରେନ୍ଦ୍ରନାଥ । ଏହି ସମୟରେ ନିଜ ମହାନତା ଦେଖାଇଥିଲେ ଏହି ହାବିଲଦାର । ହାବିଲଦାର ନରେନ୍ଦ୍ରନାଥ ନିଜେ ଗାଡି ଚଲାଇ ସେହି କୁନି କୁନି ପିଲାଙ୍କୁ ଘରେ ସୁରକ୍ଷିତ ଭାବେ ଛାଡିଥିଲେ ।

ଏଭଳି ମହାନ କାମ ପାଇଁ ଏବେ କେନ୍ଦ୍ରାପଡା ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି ହାବିଲଦାର ନରେନ୍ଦ୍ରନାଥ ସୋରେନ । ଏହାସହ କେନ୍ଦ୍ରାପଡା ପୋଲିସ ମଧ୍ୟ ଟ୍ୱିଟ କରି ନରେନ୍ଦ୍ରନାଥ ଙ୍କୁ ପ୍ରଶଂସା କରିଛି । କିଭଳି ଭାବେ ନିଜ ଡ୍ୟୁଟିରେ ଥାଇ ମଧ୍ୟ ପୋଲିସ ଜନସାଧାରଣଙ୍କ କଥା ବୁଝିଥାଏ ତାକୁ ପ୍ରମାଣ କରି ଦେଖାଇଛନ୍ତି ନରେନ୍ଦ୍ରନାଥ । ଏହି କାମ କରି ଏବେ ଅନ୍ୟ ପୋଲିସ ଅଦିକାରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏହି ହାବିଲଦାର ।

ଅନେକ ସମୟରେ ପୋଲିସକୁ ନେଇ ଆମ ମନରେ ନକରାତ୍ମକ ଭାବନା ରହିଥାଏ । ଅନେକ ସମୟରେ ଜନସାଧାରଣ ପୋଲିସ ଉପରେ ଭରସା କରିପାରନ୍ତି ନାହିଁ । ହେଲେ ନରେନ୍ଦ୍ରନାଥ ଙ୍କ ଏହି କାମ ଏବେ ଲୋକଙ୍କ ମନରୁ ଏହି ଧାରଣକୁ ନିଶ୍ଚୟ ଦୂରେଇ ଦେବ । ପୋଲିସ କିଭଳି ନିଜେ ଲୋକଙ୍କୁ ସୁରକ୍ଷା ଦେଇଥାଏ ତାକୁ କାମରେ କରି ଦେଖାଇଛନ୍ତି ନରେନ୍ଦ୍ରନାଥ ।