ଭୁବନେଶ୍ୱରରେ ୩୧ ଟଙ୍କା ବଦଳରେ ପେଟ୍ରୋଲ ପାଇଁ ୭୨ ଟଙ୍କା କାହିଁକି ଦେଉଛନ୍ତି ଗ୍ରାହକ ! ଗୋଟିଏ କ୍ଲିକରେ ଜାଣନ୍ତୁ ପେଟ୍ରୋଲ ଓ ଡ଼ିଜେଲ ଦରର ପୂରା ହିସାବ ନିକାଶ

64

କନକ ବ୍ୟୁରୋ : ବୋଲ ମାନୁନି ପେଟ୍ରୋଲ ଓ ଡିଜେଲ ଦର । ଗ୍ରାହକଙ୍କ ପକେଟରେ ନିଆଁ ଲଗାଇଲାଣି ପେଟ୍ରୋଲ ଦର । ଏପ୍ରିଲ ୧ରୁ ସାଧାରଣ ଲୋକ ମହଙ୍ଗା ମାଡରୁ ଉଠିନଥିବା ବେଳେ ଆଉ ଏକ ମହଙ୍ଗା ମାଡ ଦେଇଛି ତୈଳ କମ୍ପାନୀ । ମୋଦି ସରକାରର ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେକର୍ଡ ଭାଙ୍ଗିଛି ପେଟ୍ରୋଲ ଦର । ଭୁବନେଶ୍ୱରରେ ପେଟ୍ରୋଲର ଦର ୭୨ ଟଙ୍କା ୬୭ ପଇସା ଥିବା ବେଳେ ଡିଜେଲର ରେକର୍ଡ ଦର ୬୯ ଟଙ୍କା ୪୦ ପଇସାରେ ପହଞ୍ଚିଛି । ଯାହା ଗ୍ରାହକଙ୍କୁ ଏବେ ଚିନ୍ତାରେ ପକାଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବଢୁଛି ବୋଲି କୁହାଯାଉଛି । କିନ୍ତୁ ପେଟ୍ରୋଲ ଓ ଡିଜଲେର ହିସାବ ନିକାସ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ୩୧ ଟଙ୍କାର ପେଟ୍ରୋଲ ସାଧାରଣ ଲୋକ ପାଖରେ ପହଞ୍ଚିବା ବେଳକୁ କିପରି ୭୨ ଟଙ୍କାରେ ପହଞ୍ଚୁଛି ଓ ୩୩ ଟଙ୍କାର ଡିଜେଲକୁ ଗ୍ରାହକ କାହିଁକି ୬୯ ଟଙ୍କାରେ କିଣୁଛନ୍ତି ତାହାର ପୂରା ହିସାବ ଆମେ ଆପଣଙ୍କୁ ଜଣାଇବୁ । କେନ୍ଦ୍ର ଓ ରାଜ୍ୟ ସରକାର କେଉଁ କେଉଁ ଟିକସ ନେଇ ଏହାର ମୂଲ୍ୟ ବୃଦ୍ଧି କରୁଛନ୍ତି ତାହା ଅଧିକାଂଶ ଲୋକ ଜାଣିନାହାନ୍ତି ।

ଭୁବନେଶ୍ୱରରେ ଏବେ ପେଟ୍ରୋଲର ଦର ୭୨.୬୭ ଟଙ୍କା ଥିବା ବେଳେ ଡିଜେଲର ଦର ୬୯.୪୦ ଟଙ୍କା ରହିଛି । କିନ୍ତୁ ଏହି ତୈଳ ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ସୋପାନ ଦେଇ ଆସିଥାଏ । ପେଟ୍ରୋଲ ହିସାବକୁ ଦେଖିଲେ, ରିଫାଇନାରୀ ଗେଟ ଦର ବା ବିଶୋଧନ ଓ ପ୍ରବେଶ କର ସହ ୩୧.୬୯ ଟଙ୍କାରେ ଭୁବନେଶ୍ୱରରେ ପହଞ୍ଚିଥାଏ ପେଟ୍ରୋଲ । କିନ୍ତୁ ଖାଉଟିଙ୍କ ପାଖରେ ପହଞ୍ଚିବା ପୂର୍ବରୁ ପରିବହନ ଖର୍ଚ୍ଚ ବାବଦକୁ ୩.୫୮ ଟଙ୍କା ନିଆଯାଇଥାଏ । ଏସବୁ ବାଦ ଡିଲରର ଲାଭ ବାବଦକୁ ୩.୬୦ ପଇସା, କେନ୍ଦ୍ରୀୟ ଶୁଳ୍କ ୧୯.୪୮ ଟଙ୍କା ଓ ଭାଟ ବାବଦରେ ରାଜ୍ୟ ସରକାର ୧୪.୩୨ ଟଙ୍କା ନେଇଥାନ୍ତି । ଆଉ ଏହାପରେ ପେଟ୍ରୋଲ ଦର ୭୨.୬୭ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି ହୋଇଥାଏ ।

ସେହିଭଳି ଡିଜେଲ କ୍ଷେତ୍ରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥାଏ । ପେଟ୍ରୋଲ ଭଳି ୩୩.୫୯ ଟଙ୍କାର ଡିଜେଲର ଦର ବିଭିନ୍ନ ଟିକସ ଆଦାୟ ପରେ ବୃଦ୍ଧି ପାଇ ୬୯.୪୦ ପଇସା ବିକ୍ରି ହୋଇଥାଏ । ଅଶୋଧିତ ତୈଳ ବିଶୋଧନ ଓ ପ୍ରବେଶ କର ସହ ଡିଜେଲ ୩୩.୫୯ ଟଙ୍କାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପରିବହନ ଓ ମାକେର୍ଟି ମାର୍ଜିନ ବାବଦକୁ ୪.୦୮ ଟଙ୍କା ନିଆଯାଇଥାଏ । ଏହାବାଦ ଡିଲର ଲାଭ ପାଇଁ ୨.୫୩ ଟଙ୍କା, କେନ୍ଦ୍ରୀୟ ଶୁଳ୍କ ୧୫.୩୩ ଟଙ୍କା ଓ ଭାଟ ବାବଦରେ ରାଜ୍ୟ ସରକାର ୧୩.୮୭ଟଙ୍କା ନେବା ପରେ ଗ୍ରାହକଙ୍କୁ ଡିଜେଲ ବିକ୍ରି ହୋଇଥାଏ । ଯାହାଫଳରେ ୩୩.୫୯ ଟଙ୍କାର ଡିଜେଲ ୬୯.୪୦ ଟଙ୍କାରେ ମିଳିଥାଏ ।

ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨୬ ପ୍ରତିଶତ ଭାଟ ନେଉଛନ୍ତି । ପେଟ୍ରୋଲ ପାଇଁ ୧୪.୩୨ ଟଙ୍କା ନେଉଥିବା ବେଳେ ଡିଜେଲ ପାଇଁ ୧୩.୮୭ ଟଙ୍କା ନେଉଛନ୍ତି । ଏହାବାଦ ପେଟ୍ରୋଲ ଉପରେ ୧୯.୪୮ ଟଙ୍କା ଓ ଡିଜେଲ ଉପରେ ୧୫.୩୩ ଟଙ୍କା କେନ୍ଦ୍ରୀୟ ଶୁଳ୍କ ଦେଇଥାନ୍ତି ଗ୍ରାହକ । ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ୩୦୪୬ କୋଟି ଟଙ୍କା ଟିକସ ଆଦାୟ କରିଥିବା ବେଳେ ୨୦୧୫-୧୬ରେ ଏହା ୩୨୨୪ କୋଟିରେ ପହଞ୍ଚିଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୪୫୨୧ କୋଟିରେ ପହଞ୍ଚିଥିବାର ଜଣାପଡିଛି ।

ଗତବର୍ଷ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଶୁଳ୍କ ୨ଟଙ୍କା ହ୍ରାସ କରିଥିଲେ । ଏହାସହ ବିଭିନ୍ନ ରାଜ୍ୟକୁ ମଧ୍ୟ ଭାଟ ହ୍ରାସ କରିବା ପାଇଁ ନିବେଦନ କରିଥିଲେ । ଯାହାଫଳରେ ଗ୍ରାହକ ମାନେ କମ ଦରରେ ପେଟ୍ରୋଲ ଓ ଡିଜେଲ ପାଇପାରିବେ । ତେବେ ମାତ୍ର ଚାରୋଟି ରାଜ୍ୟ ଗୁଜରାଟ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଭାଟ ହ୍ରାସ କରିଥିଲେ ।