ଘଣ୍ଟା ବାଜିଲେ ବାହାରୁଛି ଜୀବନ୍ତ ଶଙ୍ଖ । ରତ୍ନବଟ ମୂଳରୁ ଚାଲି ଚାଲି ଆସୁଛନ୍ତି, ଭକ୍ତଙ୍କ ଭୋଗ ଖାଉଛନ୍ତି । ମାନସିକ ପୂରା ପାଇଁ ଲୋକଙ୍କ ଲାଗୁଛି ଭିଡ ।

3,105

କନକ ବ୍ୟୁରୋ: ଘଣ୍ଟା ବାଜିବ, ଶଙ୍ଖ ଚାଲିବ । ମାଟି ତଳୁ ବାହାରି ଭୋଗ ଖାଇବ ଜୀବନ୍ତ ଶଙ୍ଖ । ଆପଣ କେବେ ଶଙ୍ଖ ଚାଲୁଥିବାର ଦେଖିଛନ୍ତି କି ? ଶଙ୍ଖକୁ ଭୋଗ ଖାଇବାର ଦେଖିଛନ୍ତି କି ? ସମସ୍ତଙ୍କ ଠାକୁର ଘରେ ତ ଶଙ୍ଖ ରହିଥାଏ । ଆଉ ପୂଜାର୍ଚ୍ଚନା ବେଳେ ଶଙ୍ଖ ବଜାଯାଏ । ହେଲେ ଶଙ୍ଖ ଯେ ଘଣ୍ଟ, ଘଣ୍ଟା, ମୃଦଙ୍ଗ ବାଜିଲେ ଆପେଆପେ ଚାଲେ ତାହା କେହି କେବେ କଳ୍ପନା କରି ନଥିବେ । କିନ୍ତୁ ପାରାଦୀପର ଏକ ରହସ୍ୟ ମୟ ଗଛ ଅଛି ଯେଉଁଠୁ ବାହାରନ୍ତି ଏକାଧିକ ଜୀବନ୍ତ ଶଙ୍ଖ । ଆଉ ସେ ସବୁ ଶଙ୍ଖଙ୍କୁ ଲୋକେ ଅଦୃଶ୍ୟ ଭଗବାନ କହି ପୂଜା ବି କରନ୍ତି ।

ପାରାଦୀପ ନେହେରୁ ବଙ୍ଗଳା ହେଲିପ୍ୟାଡ ନିକଟରେ ଥିବା ଜଙ୍ଗଲରେ ରହିଛି ରତ୍ନବଟ । କୁହାଯାଏ ଓଡିଶାର ୫ ବଟବୃକ୍ଷ ମଧ୍ୟରୁ ପାରାଦୀପର ରତ୍ନବଟ ଅନ୍ୟତମ । ଯେଉଁଠି ଜୀଅଁନ୍ତା ଶଙ୍ଖ ଚାଲି ଚାଲି ଆସନ୍ତି ଆଉ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଓ ଅଲୌକିକ କଥା ହେଉଛି ଘଣ୍ଟା ବାଜିଲେ ବଟବୃକ୍ଷ ମୂଳ ଶଙ୍ଖ ବାହାରନ୍ତି ଆଉ ଲୋକ ଦେଇଥିବା ନଡିଆ, କଦଳୀ ଓ ଖଇ ଭୋଗ ଖାଆନ୍ତି ।

ଜୀବନ୍ତ ଶଙ୍ଖ ସ୍ଥାନୀୟ ଲୋକଙ୍କ ଆଶା ଓ ବିଶ୍ୱାସ ପାଲଟିଥିବା ବେଳେ ଏହି ରତ୍ନବଟ ମୂଳେ ଯାହା ମାନସିକ କଲେ ତାହା ପୂରା ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଅନେକ ଲୋକ କିଛି ପାଇବା ଆଶାରେ ଏଠାକୁ ଧାଇଁ ଆସନ୍ତି ଆଉ ଦୁଃଖ ଜଣାନ୍ତି । ଗଛ ମୂଳରେ ଦେବାଦେବୀ ପୂଜା ପାଉଥିବା ବେଳେ କେବେ କେବେ ସାପ, ନେଉଳ ଓ ଶଙ୍ଖ ଗୋଟିଏ ଜାଗାରେ ଖେଳୁଥିବା ଲୋକେ ଦର୍ଶନ କରିଥିବା କହିଛନ୍ତି ।

ତେବେ ଆଲୌକିକତାରେ ପୂର୍ଣ୍ଣ ଏହି ରତ୍ନବଟ ପାଖକୁ ଓଡିଶାର ବିଭିନ୍ନ ସ୍ଥାନକୁ ବହୁ ସାଧୁ ସନ୍ଥ ଆସୁଥିଲେ ହେଁ ଏହା ପ୍ରଶାସନର ଅଗୋଚରରେ ରହିଛି । ସରକାରଙ୍କ ଶୁଭ ଦୃଷ୍ଟି ଉକ୍ତ ସ୍ଥାନରେ ପଡିଲେ ଏହା ପ୍ରସିଦ୍ଧ ସ୍ଥଳୀ ହୋଇପାରନ୍ତା ବୋଲି ଲୋକେ ଦାବି କରିଛନ୍ତି ।