କଷ୍ଟ କରି ପାଠ ପଢାଉଥିଲେ ବାପା, ସଫଳତା ପାଇ ପରିଶ୍ରମର ମୂଲ୍ୟ ଦେଲା ପୁଅ । ଟେଲର ପୁଅ ହେଲା ସ୍କୁଲ ଟପ୍ପର । ରାଜଧାନୀର ଓମଙ୍କୁ ମିଳୁଛି ସାବାସୀ…

233

କନକ ବ୍ୟୁରୋ: ମାଟ୍ରିକ ରେଜଲ୍ଟ ବାହାରିଛି । କରୋନା କାଳରେ ବିନା ପରୀକ୍ଷାରେ ପିଲାଙ୍କ ଫଳ ବାହାରିଛି । ଆଉ ରେଜଲ୍ଟ ବାହାରିବା ପରେ ରାଜ୍ୟର କୋଣ ଅନୁକୋଣରୁ ପିଲାଙ୍କୁ ନେଇ ଭିନ୍ନ ଭିନ୍ନ ଖବର ଆସୁଛି । କେଉଁଠି ମାର୍କକୁ ନେଇ ଅସନ୍ତୋଷର ନିଆଁ ଜଳୁଛି ତ କେଉଁଠି ପିଲା ନିଜ ଖରାପ ମାର୍କ ପାଇଁ ପ୍ରତିବାଦ କରିଛନ୍ତି । ଅଭାବ ଭିତରେ ବି ଅନେକ ଆଶାର କିରଣ ସାଜିଛନ୍ତି । ରେଜଲ୍ଟକୁ ନେଇ ରୋଚକ ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଆସିଛି ଜଣେ ଟେଲର ପୁଅର ଟପ୍ପର କାହାଣୀ ।

ଓମକାର ଦାସ । ବାପାମାଆଙ୍କ ସହ ଭୁବନେଶ୍ୱର ଡମଣା ବସ୍ତିରେ ରୁହନ୍ତି । ଚଳିତ ବର୍ଷ ଦଶମ ପରୀକ୍ଷାରେ ୮୯ ପ୍ରତିଶତ ମାର୍କ ରଖି ଚନ୍ଦ୍ରଶେଖରପୁର ରେଳବାଇ ଫେଜ୍-୧ ସରକାରୀ ହାଇସ୍କୁଲର ଟପ୍ପର ହୋଇଛନ୍ତି । ପରୀକ୍ଷା ହୋଇଥିଲେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥାନ୍ତେ ବୋଲି କହୁଥିବା ବେଳେ ଘରର ଆର୍ଥିକ ସମସ୍ୟା ଭିତରେ ସଙ୍ଘର୍ଷ କରି ସଫଳ ହୋଇଥିବା ପୁଅ ପାଇଁ ବେଶ ଗର୍ବ କରିଛନ୍ତି ବାପାମାଆ ।

ଓମକାରଙ୍କ ବାପା ବାବୁଲା ଦାସ ଜଣେ ଦରଜୀ । ଟେଲରିଂ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ଘର ଚଳେ, ତେଲ ଲୁଣ ଆସେ ଆଉ ତା ସହ ପୁଅ ପାଠ ପଢେ । ଆର୍ଥିକ ସମସ୍ୟା ଥାଇ ବି ପୁଅର ପାଠ ପଢାରେ କେବେ କମି ରଖି ନାହାନ୍ତି ବାପା । ହେଲେ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ଦୁଃଖରେ ଦିନ କାଟୁଛନ୍ତି ବାବୁଲା । ଲକଡାଉନ, ସଟଡାଉନ ସହ ସଂକ୍ରମଣର ଏ ସ୍ଥିତି ରୋଜଗାର ଉପରେ ବଡ ପ୍ରଭାବ ପକାଇଛି ।

ମଧ୍ୟବିତ ପରିବାରର ପୁଅ ଓମକାରଙ୍କ ମନର ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଘରର ଅଭାବ । ଆଗକୁ ଯୁକ୍ତ ୨ରେ ଭଲ ମାର୍କ ରଖି ଜଣେ ସାଇବର ସୁରକ୍ଷା ଏକ୍ସପର୍ଟ ହେବାକୁ ସ୍ୱପ୍ନ ଦେଖିଛନ୍ତି । ବାପା ଟେଲରିଂ କରି ଯେଉଁ କଷ୍ଟ କରିଛନ୍ତି ଟପ୍ପର ପୁଅ ତାକୁ ବୁଝି ଭବିଷ୍ୟତରେ ବାପା ଦୁଃଖ ଦୁର କରିବେ ବୋଲି ଶପଥ ନେଇଛନ୍ତି ।