କମାରଶାଳରୁ କମର କସିିଲେ ଲଢୁଆ ଝିଅ, ମୁଣ୍ଡାଇଲେ ପରିବାରର ବୋଝ…କୌଳିକ ବୃତ୍ତି ଆପଣାଇ ସମାଜ ପାଇଁ ଉଦାହରଣ ସାଜିଲେ ନିମାପଡ଼ାର ସୁନୀତା ।

କମାରଶାଳରେ ଲୁହା ଚିରୁଛି, ବୁଢାବାପାର କାନ୍ଧରୁ ବୋଝ ହାଲୁକା କରୁଛି

374

କନକ ବ୍ୟୁରୋ: କଥାରେ ଅଛି ପରିସ୍ଥିତି ଏବଂ ନିଜ ଇଚ୍ଛାଶକ୍ତି ଆଗରେ କୌଣସି ବି କାମ ଅସମ୍ଭବ ନୁହେଁ । କଷ୍ଟରୁ କଷ୍ଟସାଧ୍ୟ କାମ ବି କରିପାରିବ ମଣିଷ । ବୁଢା ବାପା, ମାଆଙ୍କ ଭରଣ ପୋଷଣ ପାଇଁ କମାରଶାଳ କୌଳିକ ବୃତିକୁ ଆପଣାଇଲେ ଘରର ଝିଅ । ଖାଲି କମାରଶାଳ ନୁହେଁ ସମୟ ପାଇଲେ ସିଲେଇ କରିବା ଏବଂ ଛେଳି ପାଳନ କରିଥାଏ ଝିଅ । ଘରେ ପୁଅ ନଥିବାରୁ ଏଭଳି କାର୍ଯ୍ୟକୁ ଆଗ୍ରହର ସହ ଆଦରି ନେଇଛି ସୁନୀତା ।

ପୁରୀ ନିମାପଡ଼ାର ଗୋଲେଇ ଛକ ଅଞ୍ଚଳରେ ଶ୍ରୀଧର ଓଝାଙ୍କ ଘର । ବୃତିରେ ଜଣେ କମାର । ହେଲେ ବୟସ ଅଧିକ ହୋଇଯିବା କାରଣରୁ ଶ୍ରୀଧର ଆଉ ଆଗ ଭଳି କାମ ଧନ୍ଦା କରିପାରୁନାହାନ୍ତି । ତେଣୁ ରୋଗୀଣା ବାପାମାଆଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ଭଉଣୀଙ୍କୁ ବାହା କରିବା ପାଇଁ ଶେଷରେ ଘରର ସବୁ ଦାୟିତ୍ୱ ନିଜ କାନ୍ଧରେ ଉଠାଇବାକୁ ନିଷ୍ପତି ନେଇଛି ଶ୍ରୀଧରଙ୍କ ସାନଝିଅ ସୁନୀତା । କୌଳିକ ବୃତିକୁ ଆପଣାଇ ସୁନୀତା ଏବେ ବାପାଙ୍କ କମାରଶାଳ ଚଳାଉଛି । ଆଉ ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ପୂରା ପରିବାର ଦୁଃଖେ କଷ୍ଟେ ଚଳିଯାଉଛନ୍ତି । ଖାଲି କମାରଶାଳ ନୁହେଁ ସମୟ ପାଇଲେ ସୁନୀତା ଟେଲରିଂ ସହିତ ଛେଳି ମଧ୍ୟ ଚରାଇବାକୁ ଯାଏ । ତେବେ ସୁନୀତାର ଆଖିରେ ଆଖିଏ ସ୍ୱପ୍ନ ଭରି ରହିଛି ସତ ହେଲେ ତାର ଏହି ସ୍ୱପ୍ନ ନିଜ ପାଇଁ ନୁହେଁଁ ବରଂ ପରବାର ପାଇଁ । ଅନ୍ୟପଟେ ଘରେ ପୁଅ ନଥିବାରୁ ଝିଅ ଯୋଗୁଁ ହିଁ ଆଜି ପରିବାର ଭଲରେ ଚଳିପାରୁଛି ବୋଲି କୁହନ୍ତି ସୁନୀତାଙ୍କ ବାପାମାଆ ।

ବଡ କଥା ହେଉଛି ଆଜିର ପୁରୁଷ ସମାଜ ଏଭଳି ଏକ କୌଳିକ ବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ସୁନୀତା ଭଳି ଜଣେ ଝିଅ ଏହାକୁ ଆଦରୀ ନେବା, ବାସ୍ତବରେ ଏହା ଏକ ପ୍ରଶଂସନୀୟ ଉଦ୍ୟମ ।