କନକ ବ୍ୟୁରୋ : ହୁଏତ ଏହାକୁ ସହଜରେ ବିଶ୍ୱାସ କରିବା କଷ୍ଟ, କିନ୍ତୁ ଏହାକୁ କାମରେ କରି ଦେଖାଇଛନ୍ତି ଢେଙ୍କାନାଳ ପାରିଖେଦା ଗାଁର ତ୍ରିଲୋଚନ ନାୟକ । ଯେଉଁ ବୟସରେ ଅବସର ନେବା କଥା, ସେହି ବୟସରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସେ । ୪୨ ଥରରେ ମାଟ୍ରିକ, ୧୦ ଥରରେ ପ୍ଲସ୍-ଟୁ ପାସ୍ କରିଥିଲେ ତ୍ରିଲୋଚନ । ଓକିଲ ହେବା ପାଇଁ ପିଲାଦିନୁ ସ୍ୱପ୍ନ ଦେଖିଥିଲେ, ଏହାକୁ ସାକାର କରିବା ପାଇଁ ପରିଣତ ବୟସରେ ଉଦ୍ୟମ କରିଥିଲେ । ଏଲଏଲବି ପାସ କରି ୬୫ ବର୍ଷରେ ହାଇକୋର୍ଟରେ ଓକିଲାତି କରିବା ପାଇଁ ସେ ଏବେ ଲାଇସେନ୍ସ ପାଇଛନ୍ତି ।

Advertisment

୧୯୭୨ ମସିହାରେ ପ୍ରଥମେ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ଆଉ ପଛକୁ ଫେରି ଚାହିଁନଥିଲେ ତ୍ରିଲୋଚନ । ପ୍ରତିବର୍ଷ ପରୀକ୍ଷା ଦେଇଚାଲିଲେ, ୪୨ ଥର ପରୀକ୍ଷା ଦେବା ପରେ ୧୯୯୨ ମସିହାରେ ସେ ମାଟ୍ରିକ ପାସ କରିଥିଲେ । ୧୯୯୯ରେ ପ୍ରଥମେ ପ୍ଲସ-ଟୁ ପରୀକ୍ଷା ଦେଲେ, ୧୦ ଥର ପରୀକ୍ଷା ଦେବା ପରେ ୨୦୧୧ରେ ପାସ କରିଥିଲେ ପ୍ଲସ ଟୁ । ଗୋଟିଏ ସମୟରେ ନିଜ ପୁଅ ସହ ଗୋଟିଏ କଲେଜରେ ସେ ପାଠ ପଢ଼ୁଥିଲେ । ହେଲେ ପାଠ ପଢ଼ିବା ନିଶା ଏପରି ଥିଲା ଯେ ଥରକରେ ଗ୍ରାଜୁଏସନ୍ ଓ ୨୦୨୦ରେ ଏଲଏଲବି ଶେଷ କରିଥିଲେ ତ୍ରିଲୋଚନ ।

ତ୍ରିଲୋଚନଙ୍କ ପ୍ରବଳ ଇଚ୍ଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଆର୍ଥିକ ଅନାଟନ । ପରିଣତ ବୟସରେ ପାଠ ପଢ଼ିବା ବେଳେ ସ୍ଥାନୀୟ ଲୋକ ଟାହିଟାପରା କରିଛନ୍ତି, ହେଲେ ତାଙ୍କର ଲକ୍ଷ୍ୟପଥରୁ ସେ କେବେ ବିଚ୍ୟୁତ ହୋଇନାହାନ୍ତି । ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଭାଗ ଚାଷ କରି ୪ ପ୍ରାଣୀ କୁଟୁମ୍ବ ପୋଷିବା ସହ ପାଠ ପଢ଼ିବାର ଜିଦ୍ ଯୋଗୁଁ ତ୍ରିଲୋଚନକୁ ମିଳିଛି ଓକିଲର ପରିଚୟ ।