ଯୁବପିଢି ପାଳିଲେ ନିଆରା ନୂଆବର୍ଷରେ । ହାଡଭଙ୍ଗା ଶୀତରେ ଅସହାୟଙ୍କୁ ହେଲେ ସାହା । ଶୀତ କାକର ଭିତରେ କଟକରୁ ଆସିଲା ମାନବିକତାର ଅସଲି ଚିତ୍ର ।

146

କନକ ବ୍ୟୁରୋ: ଆମେ ଥାଉ ଥାଉ ସେମାନେ ଥରିବେନି ଶୀତରେ କି କାଙ୍କୁରି କୁଙ୍କୁରି ହେବେନି କାକରରେ । ଜାଡର ଯନ୍ତ୍ରଣାରେ ବି ଜର୍ଜରିତ ହେବେନି ନିରାଶ୍ରୟୀ ଅସହାୟ ଲୋକ । ଏମିତି ଏକ ଭାବନା ନେଇ ରାସ୍ତାକଡର ଗରିବ ଲୋକଙ୍କୁ ନୂଆବର୍ଷରେ ଶୀତବସ୍ତ୍ର ଦେଇଛନ୍ତି କଟକର କିଛି ଯୁବପିଢି । ମାନବ ସେବା ହିଁ ମାଧବ ସେବା ଆଉ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଏହି ନିରାଶ୍ରୟୀଙ୍କ ସେବା ପରି ରାତି କାଟିଛନ୍ତି ସହୃଦୟ ବ୍ୟକ୍ତି ।

ଯେତେବେଳେ ପୁରୁଣା ବର୍ଷର ରାତି ସରି ସରି ଆସୁଥିଲା, ନୂଆବର୍ଷର ସକାଳ ଧିରେଧିରେ ଆସୁଥିଲା ଠିକ ମଝି ରାତିର ମୁହୂର୍ତ୍ତକୁ ନେଇ ଝୁମୁଥିଲେ ଲୋକେ । ନୂଆବର୍ଷକୁ ଘରେ ରହି ସ୍ୱାଗତ କରିବା ସହ ପାର୍ଟି କରୁଥିଲେ । ହେଲେ ଘର ବାହାରେ, ରାସ୍ତାକଡରେ ନୂଆବର୍ଷର ନୂଆ ଶୀତର ଶାସ୍ତିକୁ ସହୁଥିଲେ ନିରାଶ୍ରୟୀ । କିଏ ବସଷ୍ଟାଣ୍ଡରେ କିଏ ରେଳ ଷ୍ଟେସନରେ ଶୀତ ସହ କରୁଥିଲା ରିତିମତ କସରତ । ଥିଲାବାଲାଙ୍କ ପାଇଁ ସିନା ସରକାର ଲଗାଇଥିଲେ କଟକଣା ହେଲେ ନଥିଲା ବାଲାଙ୍କ ପାଇଁ କିନ୍ତୁ କର୍ଫ୍ୟୁ ଲଗାଇଥିଲା କାକର । ଆଉ ଏତକି ବେଳେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ କଟକର ଯୁବକ ।

କଟକ ସହରର ବିଭିନ୍ନ କ୍ଲବର ପିଲାମାନେ ଏଥର ନୂଆବର୍ଷ ନପାଳି କରିଥିଲେ ନିଆରା କାମ । ମେଡିକାଲ, ବାଦାମବାଡି ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏସବୁ ସ୍ଥାନରେ ଯେଉଁ ଅସହାୟମାନେ ରାତି କାଟୁଥିଲେ, ଘର ନଥିବାରୁ ଫୁଟପାଥରେ ମୁଣ୍ଡଗୁଞ୍ଜିଥିଲେ ସେମାନଙ୍କୁ କମ୍ବଳ ଦେଇ ଶୀତରୁ ରକ୍ଷା କରିଛନ୍ତି ଏମାନେ । ଆଉ ପାଳିଛନ୍ତି ନିଆରା ନୂଆବର୍ଷ । ତେବେ ଏମିତି କିଛି କାମ କରି ଏବେ ମାନବିକତାର ପରିଚୟ ଦେଇଛନ୍ତି କଟକର ଯୁବପିଢି ।