କନକ ବ୍ୟୁରୋ: ଟୀକାକେନ୍ଦ୍ରରେ ପାଠ ପଢା । ଝିଅକୁ ପଢାଉଛି ମାଆ । ସେବା ଭିତରେ ଶିକ୍ଷାଦାନ । ମାଆ ଆମ ଜୀବନର ଆଦ୍ୟଗୁରୁ, ପ୍ରଥମ ଶିକ୍ଷକ, ପ୍ରଥମ ଜ୍ଞାନଦାତ୍ରୀ । ମାଆ ପାଖରେ ଆମେ ପଢୁ, ବଢୁ, ମଣିଷ ହେଉ । ଆମେ ସମସ୍ତେ ବଡ ହୋଇ ଯେତେ ପାଠ ପଢୁନା କାହିଁକି ପିଲା ଦିନେ ମାଆ ପାଖରେ ସ୍ଲେଟ ଖଡି ଧରି ଅ, ଆ ଲେଖିଥିବା । ବର୍ଣ୍ଣବୋଧ ପଢିଥିବା, ପଣକିଆ ଘୋଷିଥିବା । ପାଠ ପଢାଇଲା ବେଳେ ମାଆ ପାଖରୁ ପାଞ୍ଚଣ ପାହାର ଖାଇ ବି ପରେ ସୁଆଦିଆ ଖାଦ୍ୟ ଖାଇଥିବା । ଇଏ ହେଉଛି ମାଆ... କଞ୍ଚାମାଟିକୁ ଗଢିଥିବା ଜଣେ ମମତାର ମୂର୍ତ୍ତୀକାର ।

Advertisment

ତେବେ ମାତୃ ଦିବସରେ ଆମେ ଆଜି ସେମିତି ଜଣେ ମାଆଙ୍କୁ ଭେଟାଇବୁ ଯିଏ ନିଜ ଡ୍ୟୁଟି କରିବା ସହ ନିଜ ପିଲାର କର୍ତ୍ତବ୍ୟ ବି ନିଭାଉଛନ୍ତି । ଇଏ ହେଉଛନ୍ତି ପୁରୀ ସଦର ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ କବିତାଞ୍ଜଳୀ ଦାସ । ଯିଏ ଟୀକାକେନ୍ଦ୍ରରେ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା କାମରେ ନିୟୋଜିତ ଅଛନ୍ତି । କରୋନା ବିରୋଧୀ ଅଭିଯାନରେ ନିଜକୁ ସାମିଲ କରି ଲୋକଙ୍କ ସେବା କରିବା ବେଳେ ବି ନିଜ ସନ୍ତାନ କଥା ନିଜ ପିଲାର ଭବିଷ୍ୟତ କଥା ଭୁଲିଯାଇ ନାହାନ୍ତି କବିତା । ବରଂ ସେବା ଭିତରେ ନିଜ ଝିଅକୁ ଶିକ୍ଷିତ କରିବାକୁ, ତାଙ୍କୁ ସଂସ୍କାରି କରିବାକୁ ପ୍ରାରମ୍ଭିକ ଶିକ୍ଷାଦାନ କରୁଛନ୍ତି ।

ହସ୍ପିଟାଲ ଟେବୁଲରେ ଗୋଟେ ପଟେ ମାଆ ବସିଛନ୍ତି ଆଉ ତାଙ୍କ ପାଖରେ ଝିଅ ବସି ପାଠ ପଢୁଛି । ଯେଉଁଠି ଯେଉଁଠି ବୁଢି ପାରୁନି ମାଆ ତାକୁ ବଝାଇ ଦେଉଛନ୍ତି । ଘରେ କେହି ନାହାନ୍ତି । ସ୍ୱାମୀ ବାହାରେ ଅଛନ୍ତି । ତେଣୁ ୪ ବର୍ଷର ଝିଅ କେମିତି ମଣିଷ ହେବ ? ପିଲାବେଳେ ତାକୁ କିଏ ଶିକ୍ଷା ଦେବ? ତାକୁ ଗଢିବାକୁ ଜଣେ ମାଆ ନିଜ କର୍ମ କ୍ଷେତ୍ରରେ ସମୟ ବାହାର କରି, ସେବା ଭିତରେ ବି ଶିକ୍ଷା ଦେବାକୁ ପାଶୋରି ନାହାନ୍ତି । କାରଣ ସିଏ ଜାଣନ୍ତି ସେ ଯଦି ନିଜ ପିଲାକୁ ସମୟ ଦେବେନି ତାହାଲେ ସେ କେମିତି ଆଗକୁ ଯିବ । ମାତୃ ଦିବସରେ ଜଣେ ମାଆଙ୍କ ଏ ତ୍ୟାଗ, ଏ ଉତ୍ସର୍ଗତାକୁ ସାଲୁଟ କରିଛନ୍ତି ସମସ୍ତେ ।

ତେବେ ପିଲାଙ୍କୁ ଧରି ମାଆମାନେ ନିଜ ଡ୍ୟୁଟି କରୁଥିବାର କାହାଣୀ, ବିରଳ ଦୃଶ୍ୟ ଅନେକ ଦେଖିଥିବେ । ଦୁଇ ଦିନ ତଳେ ଉତ୍ତର ପ୍ରଦେଶର ଜଣେ ମହିଳା କନଷ୍ଟେବଲଙ୍କ କାହାଣୀ ସାମ୍ନାକୁ ଆସିଥିଲା । ଯେଉଁଠି ଜଣେ ମାଆ ନିଜ କୁନିପିଲାକୁ ଧରି ଏ ଡହଡହ ଖରାରେ ଡ୍ୟୁଟି କରୁଛନ୍ତି । ଯାହା ଜଣେ ମାଆ ପ୍ରତି ସମ୍ମାନକୁ ଅଧିକ ବଢାଇ ଦେଇଛି । ଦର୍ଶକବନ୍ଧୁ ! ମାଆ ଆମ ଜୀବନର ସରୁ ନଥିବା ବହି, ଗୋଟେ ବଡ ବିଶ୍ୱବିଦ୍ୟାଳୟ । ଯେଉଁଠି ଯେତେ ପଢିଲେ ବି ଶିକ୍ଷା କେବେ ସରେନାହିଁ ।