କନକ ବ୍ୟୁରୋ : ସ୍ନାନମଣ୍ଡପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ । ଆଜି ଶ୍ରୀମନ୍ଦିର ରତ୍ନବେଦୀରୁ ବାହାରି ସ୍ନାନ ମଣ୍ଡପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂରତୀ । ଶ୍ରୀଜିଉଙ୍କୁ ଦେଖିବାକୁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଆଜି ସ୍ନାନପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପୂର୍ବରୁ  ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଥିଲେ । ଏହାପରେ ଶ୍ରୀମନ୍ଦିର ପରିସର ସ୍ଥିତ ସୁନା କୂଅରୁ ଆସିଥିବା ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା ।

Advertisment

publive-imageଅପରାହ୍ନ ୨ଟାରେ ମଇଲମ ଓ ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ବେଶ କାର୍ଯ୍ୟ ଶେଷ ହୋଇଥିଲା । ପାଖାପାଖି ସାଢ଼େ ୩ଟାରେ ଗଜପତି ପହଞ୍ଚି ସ୍ନାନମଣ୍ଡପରେ ଛେରା ପହଁରା କରିଥିଲେ । ପରେ ମହାପ୍ରଭୁଙ୍କୁ କର୍ପୁର ଆଳତି କରାଯିବା ପରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେଇଥିଲେ । ଅପରାହ୍ନ ୪ଟାରୁ ମହାପ୍ରଭୁ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବା ପରେ ସନ୍ଧ୍ୟା ୫ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ । ଏହାପରେ ସନ୍ଧ୍ୟା ସାଢ଼େ ୫ଟାରୁ ରାତି ସାଢ଼େ ୭ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ପରେ ସନ୍ଧ୍ୟା ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡ଼ୋରଲାଗି, ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ବାହୁଡ଼ା ପହଞ୍ଚି ହେବ ।ଶ୍ରୀମନ୍ଦିରରେ ପହଞ୍ଚିବା ପରେ ରାତି ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ।

publive-imageସ୍ନାନ ଯାତ୍ରା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ୪୨ ପ୍ଲାଟୁନ ଫୋର୍ସ ଓ ୨୫୦ ଅଫିସରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଭକ୍ତମାନେ ଦର୍ଶନବେଳେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତରଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ସ୍ନାନଯାତ୍ରା ପାଇଁ ବୁଧବାର ରାତିରୁ ସେବାୟତଙ୍କ ଦ୍ଵାରା ବିଭିନ୍ନ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ଗତକାଲି ରାତି ସାଢ଼େ ୧୨ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଚ୍ଛାଦିତ କରାଯାଇଥିଲା । ରାତି ଗୋଟାଏ ୧୦ରେ ବାହୁଟକଣ୍ଟ ନୀତି ପରେ ଗୋଟାଏ ୨୦ରେ କୋଠ ସୁଆସିଆଁଙ୍କ ଦ୍ଵାରା ଚାରମାଳ ବନ୍ଧା ଆରମ୍ଭ ହୋଇଥିଲା । ଆଜି ସକାଳ ୧୦ଟାରେ ଚାରମାଳ ବନ୍ଧା ଶେଷ ପରେ ଶ୍ରୀଅଙ୍ଗରେ ସେନାପଟା ଲାଗି ନୀତି ଆରମ୍ଭ ହୋଇଥିଲା । ୧୨ଟାରେ ସେନାପଟା ଲାଗି ନୀତି ଶେଷ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲେ ବି ଆଜି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବ ଅର୍ଥାତ୍ ୨ଟା ୧୫ ମିନିଟରେ ଏହି ନୀତି ଶେଷ ହୋଇଥିଲା। ଦଇତାପତିମାନେ ଏହି କାର୍ଯ୍ୟ ସଂପାଦନ କରିଥିଲେ। ଏହି ସ୍ୱତନ୍ତ୍ର ନୀତି ପାଇଁ ଆଜି ସକାଳୁ ଅପରାହ୍ନ ୨ଟା ୧୫ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ସାଢ଼େ ୨ଟା ପରେ ସାଧାରଣ ଦର୍ଶନ ସ୍ୱାଭାବିକ ହୋଇଥିଲା ଓ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇବା ପରେ ଶ୍ରୀଜିଉ ଜ୍ୱରରେ ପିଡ଼ୀତ ହୋଇ ୧୫ ଦିନ ଅଣସର ଘରେ ରହିଥାନ୍ତି । ସେଠାରେ ରାଜବୈଦ୍ୟ ମହାପ୍ରଭୁଙ୍କ ଜ୍ୱରର ଉପଚାର କରିଥାନ୍ତି । ଜ୍ୱରରୁ ଭଲ ହେବା ପରେ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥାଏ । ଏହା ପର ଦିନ ଅଥାର୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ହିଁ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ ।