ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ: ଏସପି ଓ ଡିଏସପିଙ୍କ ସମେତ ଏକାଧିକ ପୁଲିସ୍ କର୍ମୀ ନିଲମ୍ବିତ; ପ୍ରଥମିକ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ

ଏସ୍ପି ଓ ଡିଏସ୍ପିଙ୍କ ହେବ ପୋଲିଗ୍ରାଫ୍ ଟେଷ୍ଟ

372

କନକ ବ୍ୟୁରୋ: ଉତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ହାଥରସ୍ ଏସ୍ପି,  ଡିଏସପି  ଓ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସମସ୍ତ ପୋଲିସ କର୍ମଚାରୀଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ଆଧାରରେ ଏହି ନିଷ୍ପତି ନେଇଛନ୍ତି ସରକାର । ନିଲମ୍ବିତ ହୋଇଥିବା ଅଧିକାରୀମାନେ ହେଉଛନ୍ତି, ଏସପି ବିକ୍ରାନ୍ତ ବୀର, ସିଓ ରାମ ଶବ୍ଦ, ଇନ୍ସ୍ପେକ୍ଟର ଦିନେଶ କୁମାର ବର୍ମା, ଏସଆଇ ଜଗବୀର ସିଂ । ପ୍ରଶାସନ ଯେଉଁ ଶୈଳୀରେ ମାମଲାକୁ ପରିଚାଳନା କଲା ତାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି ।

ଏପଟେ ହାଥରସ ଜିଲ୍ଲାର ସୀମାକୁ ସିଲ୍ କରିଦିଆଯିବା ସହ ବୁଲଗାଡୀ ଗାଁରେ ୧୪୪ଧାରା ଜାରି କରାଯାଇଛି । ବିରୋଧୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଁ ମନା ହୋଇଛି । ଏହି ଘଟଣାରେ କଣ ଏମିତି ସତ ଅଛି ଯାହା ଲୁଚାଇବା ପାଇଁ ପ୍ରାଣପ୍ରଣେ ପ୍ରୟାସ କରୁଛି ଉତରପ୍ରଦେଶ ପୋଲିସ । ତାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସେପଟେ ଘଟଣାର ତଦନ୍ତ କରୁଥିବା ଏସଆଇଟି ପୀଡିତାଙ୍କ ଘରକୁ ଯାଇ ପଚରାଉଚରା ଜାରି ରଖିଛି । ତେବେ ଆଇନ ଶୃଙ୍ଘଳା ଦୃଷ୍ଟିରୁ ଏସଆଇଟିର ତଦନ୍ତ ଚାଲିଥିବା ଯାଏଁ ଗାଁରେ କଟକଣା ବଳବତର ରହିବ ବୋଲି ହାଥରସ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ମୂଳରୁ ସନ୍ଦେହ ଘେରରେ ରହିଛି ୟୁପି ପୋଲିସ । ଆଉ ଏବେ ରାଜ୍ୟ ଆଇନ ଶୃଙ୍ଖଳା ଏଡିଜିଙ୍କ ବୟାନ ପୁରା ଘଟଣା ଉପରେ ସନ୍ଦେହକୁ ବଢାଇ ଦେଇଛି ।

କାରଣ ହାଥରସର ଯୁବତୀଙ୍କ ସହ ଦୁଷ୍କର୍ମ ହୋଇନଥିବା କହିଛନ୍ତି ଏଡିଜି ପ୍ରଶାନ୍ତ କୁମାର । ସେପଟେ ଘଟଣା ପ୍ରତିବାଦରେ ଗାଁଲୋକେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାଥରସ ଗଣଦୁଷ୍କର୍ମ ଘଟଣା ବିରୋଧରେ ଦେଶର ବିଭିନ୍ନ ଅଂଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀରେ କଂଗ୍ରେସ କର୍ମୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରି ନ୍ୟାୟ ଦାବି କରିଛନ୍ତି । ସେହିପରି ଲକ୍ଷେ୍ନøରେ ସମାଜବାଦୀ ପାର୍ଟି କର୍ମକର୍ତା ମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ।