ରାତି ଅଧରେ କେବେ ଏକୁଟିଆ ସୁରକ୍ଷିତ ବୁଲିପାରିବ ନାରୀ ? କେବେ ବଦଳିବ ମଣିଷର ମାନସିକତା ? ହାଥରସ ଘଟଣା ପରେ ଏବେ ହଜାରେ ପ୍ରଶ୍ନ ? ଗାନ୍ଧୀ ଦେଶରେ କେବେ ବନ୍ଦ ହେବ ଗଣଦୁଷ୍କର୍ମ ?

235
କନକ ବ୍ୟୁରୋ: ଯେଉଁଦିନ ମଧ୍ୟରାତ୍ରରେ ନାରୀଟିଏ ଏକୁଟିଆ ରାସ୍ତାରେ ସୁରକ୍ଷିତ ଭାବେ ଯାଆ ଆସ କରିପାରୁଥିବ ସେହିଦିନ ହିଁ ଆମେ ପ୍ରକୃତ ସ୍ୱାଧୀନତା ପାଇବା…
ନୂଆ ଭାରତ ନେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏହାହିଁ ଥିଲା ବିରାଟ ସ୍ୱପ୍ନ । ନାରୀ ସୁରକ୍ଷା ନେଇ ଗାନ୍ଧୀଙ୍କ ଏହି ମହାନବାଣୀ ଏବେ କେବଳ ଭାଷଣବାଜିରେ ଅଟକି ଯାଇଛି, କିନ୍ତୁ ବାସ୍ତବରେ କାର୍ଯ୍ୟକାରୀ ହୋଇପାରିନି । କାରଣ ରାତି ତ ଦୂରର କଥା ଏଠି ଦିନ ଦି୍ୱପ୍ରହରେ ନାରୀଟିଏ ରାସ୍ତାରେ ଚାଲିବା ମୁସ୍କିଲ । ଯୌନ ପିପାସୁଙ୍କ ଲୋଲୁପ ଦୃଷ୍ଟିରେ ଏଠି ଝିଅଟିଏ ଝୁଣ୍ଟି ପଡୁଛି । ନର ରାକ୍ଷସଙ୍କ କବଳରୁ ନାରୀଟିଏ ତା ନିଜକୁ ବଞ୍ଚାଇ ପାରୁନି । ଆଉ ପ୍ରତିବାଦ କଲେ ସୈତାନମାନେ ନାରୀର ଦେହକୁ ଝୁଣି ପକାଉଛନ୍ତି । ଜିଭ କାଟି ଦେଉଛନ୍ତି, ଗୋଡହାତ ସହ ଅଣ୍ଟା ଭାଙ୍ଗି ବର୍ବରତା ରଚୁଛନ୍ତି । ସ୍ୱାଧୀନତାର ୭୪ ବର୍ଷ ପରେ ବି ଆଜି ନାରୀଟିଏ ଏକୁଟିଆ ରାସ୍ତାକୁ ଓହ୍ଲାଇବାକୁ ଡରୁଛି, ସମାଜୁ ସୁରକ୍ଷିତ ମଣୁଣି । କଣ ଏଇଟା ଆମ ବ୍ୟବସ୍ଥା ? କଣ ଏଇୟା ଥିଲା ବାପୁଙ୍କ ସ୍ୱପ୍ନ ? ସମାଜର କଳଙ୍କିତ ଅଧ୍ୟାୟରୁ ଗୋଟେ ପରେ ଗୋଟେ ପ୍ରଶ୍ନର ପୃଷ୍ଠା ଓଲଟି ଚାଲିଛି ।
ୟୁପି ହାଥରସର ହୃଦୟଥରା ଘଟଣା ଦେଶର ଛାତିକୁ ଦୋହଲାଇ ଦେଇଥିବା ବେଳେ ୟୁପିର ବଳରାମପୁରରେ ଘଟିଛି ପୁଣି ଏକ ଜଘନ୍ୟକାଣ୍ଡ । ଯାହା ସମସ୍ତଙ୍କୁ ଲଜ୍ଜିତ କରିଛି । ଗୋଟିଏ ଜୁଇର ନିଆଁ ଲିଭି ନଥିବା ବେଳେ ଆଉ ଏକ ଜୁଇ ଜଳିଛି । ଗୋଟିଏ ମାଆର ଆଖିରୁ ଲୁହ ଶୁଖିନଥି ବେଳେ ଆଉ ଗୋଟିଏ ମାଆର କୋଳକୁ ଖାଲି କରି ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିଛନ୍ତି ନର ରାକ୍ଷସ । ଆଡମିଶନ ପାଇଁ ଯିବା ବେଳେ ବି-କମ୍ ପଢୁଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ହାଥରସ ପୀଡିତାଙ୍କ ପରି ବଳରାମପୁର ପୀଡିତାଙ୍କ ସହ ଅତି ଅମାନୁଷିକକାଣ୍ଡ କରିଥିଲେ ସୈତାନ । ଦୁଷ୍କର୍ମ ପରେ ଗୋଡ, ଅଣ୍ଟା ଭାଙ୍ଗି ରିକ୍ସାରେ ଘରକୁ ପଠାଇ ଦେଇଥିଲେ ନର ରାକ୍ଷସ । ଆଉ ପରେ ଆଖି ବୁଜିଥିଲେ ପୀଡିତା ।
ଖାଲି ହାଥରସ, ବଳରାମପୁର ନୁହେଁ ବୁନ୍ଦଲ ସହର ଓ ଆଜମଗଡରୁ ବି ଆସିଛି ଦୁଷ୍କର୍ମର ଖବର । ୟୁପିରେ ଅପରାଧର ଲଗାତାର ଘଟଣା ଘଟିବା ପରେ ତାତି ଉଠିଛି ଦେଶ । ସାରା ଦେଶରେ ଜଳିଛି ବିରୋଧର ବହ୍ନି । ଆଖି ବୁଜିଥିବା ନିର୍ଭୟା ମାନଙ୍କୁ ନ୍ୟାୟ ଦେବାକୁ ଉଠୁଛି ପଡୁଛି ଦେଶ, ଚାରିଆଡୁ ଶୁଭୁଛି ପ୍ରତିବାଦର ଶାଣିତ ସ୍ୱର । ସେପଟେ ସଞ୍ଜ ହେବା କ୍ଷଣି ପୀଡିତାଙ୍କୁ ନ୍ୟାୟ ପାଇଁ ଦେଶ ଜାଳୁଛି ମହମବତୀ । ତେବେ ସତରେ କଣ କ୍ୟାଣ୍ଡେଲ ଜାଳିଲେ ସମାଜରୁ ପାଶବିକତା ସରିଯିବ, କ୍ରୁରତା କମିଯିବ ? ମହମବତୀ ଜାଳି ବଦଳେଇହେବ କି ଅମଣିଷଙ୍କ ମାନସିକତା ? ଯେଉଁଠି ନାରୀଟିଏ ସୁରକ୍ଷିତ ନୁହେଁ ସେଠି କେତେ ସୁରକ୍ଷିତ ଆମେ ? ଗାନ୍ଧୀ ଜୟନ୍ତୀରେ ନାରୀଟିଏ ପ୍ରଶ୍ନ କରୁଛି ସରକାର, ଏମିତି କଣ ମହମବତୀ ଜଳୁଥିବ ? ଆଉ କେତେ ଦୁଷ୍କର୍ମ ହେବ… କେତେ ଜୁଇ ଜଳିବ…?