ୟୁପିକୁ ଦଙ୍ଗାଗ୍ରସ୍ତ କରିବା ପାଇଁ ବିଦେଶୀ ଶକ୍ତିର ଷଡଯନ୍ତ୍ର! ପ୍ରାଥମିକ ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ ଖୁଲାସା ।

365
କନକ ବ୍ୟୁରୋ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ୟୁପିରେ ଦଙ୍ଗା ଷଡଯନ୍ତ୍ର କରାଯାଉଛି । ଆଉ ଏଥି ପାଇଁ ବିଦେଶରୁ ପାଣ୍ଠି ଆସୁଛି । ହାଥରସ ଘଟଣାକୁ ନେଇ ଏପରି ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସେପଟେ ରାଜ୍ୟ ସରକାର ଏହି ତଥ୍ୟକୁ ସୁପ୍ରିମକୋର୍ଟରେ ମଧ୍ୟ ରଖିଥିଲେ । ଆଉ ରାଜ୍ୟ ସରକାରଙ୍କ ଏହି ଦାବିକୁ ଏବେ ବଳ ଯୋଗାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟର ରିପୋର୍ଟ । ପ୍ରାରମ୍ଭିକ ତଦନ୍ତ କରି ଇଡି କହିଛି, ୟୁପିକୁ ଦଙ୍ଗାଗ୍ରସ୍ତ କରିବା ପାଇଁ ମରିସସରୁ ୫୦ କୋଟି ଟଙ୍କା ଫଣ୍ଡିଙ୍ଗ ହୋଇଥିଲା ।
ହାଥରସ ମାମଲାରେ ଉତର ପ୍ରଦେଶ ସରକାରଙ୍କ ଦାବିକୁ ବଳ ଦେଲାଭଳି ବଡ ଖୁଲାସା ହୋଇଛି । ହାଥରସ ପୀଡିତାଙ୍କୁ ନ୍ୟାୟ ଦେବା ଆଳରେ ଆନ୍ଦୋଳନ କରି ୟୁପିରେ ଦଙ୍ଗା ସୃଷ୍ଟି କରିବାକୁ ହୋଇଥିଲା ବଡଧରଣର ଷଡଯନ୍ତ୍ର । ଏଥିପାଇଁ ମରିଶସରୁ ୫୦ କୋଟି ଟଙ୍କାର ଫଣ୍ଡିଙ୍ଗ ହୋଇଥିବା ନେଇ ତଦନ୍ତ ପରେ ପ୍ରାରମ୍ଭିକ ରିପୋର୍ଟ ଦେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୪ ଅଭିଯୁକ୍ତ… ଇଡିର ସୂଚନା ଅନୁସାରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ- ପିଏଫଆଇକୁ ମରିଶସରୁ ମିଳିଥିଲା ୫୦ କୋଟି ଟଙ୍କାର ପାଣ୍ଠି । ଇଡିର ଦାବିହେଲା ମୋଟ୍ ୧୦୦ କୋଟି ଟଙ୍କାରୁ ଅଧିକ ବିଦେଶୀ ଫଣ୍ଡିଙ୍ଗ କରାଯାଇଛି । ଜାତିଆଣ ଦଙ୍ଗା ପାଇଁ ଷଡଯନ୍ତ୍ର ଆଙ୍ଗଲ ସାମ୍ନାକୁ ଆସିବା ପରେ ଅଧିକ ଛାନଭିନ ଚଳାଇଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟ ଓ ୟୁପି ପୋଲିସ ।
ଗିରଫ ୪ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଜଣେ ସାମ୍ବାଦିକ । ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିବାବେଳେ ଏହି ୪ ଜଣଙ୍କୁ ମେରଟରୁ ଗିରଫ କରାଯାଇଥିଲା । ପପୁଲର ଫ୍ରଣ୍ଟ ଅଫ ଇଣ୍ଡିଆ- ପିଏଫଆଇ ଏବଂ ଏହାର ସହଯୋଗୀ ସଂଗଠନ କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ- ସିଏଫଆଇ ସହ ସଂପୃକ୍ତି ରହିଛି । ଏମାନଙ୍କ ପାଖରୁ ଲ୍ୟାପଟପ ଓ କିଛି ଉତେଜନା ସୃଷ୍ଟିକାରୀ ସାହିତ୍ୟ ଜବତ କରିଛି ୟୁପି ପୋଲିସ । ସିଆରପିସିର ଧାରା ୧୫୧ରେ ଏମାନଙ୍କୁ ଗିରଫ କରି ୧୪ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ମିଥ୍ୟା ୱେବସାଇଟ ଖୋଲି ୟୁପିରେ ଜାତିଆଣ ଦଙ୍ଗା ସୃଷ୍ଟି ପାଇଁ ଷଡଯନ୍ତ୍ର କରାଯାଇଥିବା ଦାବି କରିଥିଲା ପୋଲିସ । ହାଥରସ ପୀଡିତାଙ୍କୁ ନ୍ୟାୟ ଦେବା ନାଁରେ ୟୁପିକୁ ଅଶାନ୍ତ କରିଦେବା ପାଇଁ ଖୋଲା ଯାଇଥିଲା ଏହି ୱେବସାଇଟ ।
ୟୁପି ସରକାରଙ୍କ କହିବା ହେଲା ରାଜ୍ୟରେ ଜାତିଆଣ ଦଙ୍ଗା ସୃଷ୍ଟି କରି ବିଶ୍ୱରେ ମୋଦି ସରକାର ଓ ରାଜ୍ୟର ଯୋଗୀ ସରକାରଙ୍କୁ ବଦନାମ କରିବା ପାଇଁ ହୋଇଥିଲା ବଡଧରଣ ଷଡଯନ୍ତ୍ର । ଜଷ୍ଟିସ ଫର ହାଥରସ ଭିକ୍ଟିମ ନାଁରେ ମିଥ୍ୟା ୱେବସାଇଟ ଖୋଲି ଏହାରି ଜରିଆରେ ହିଂସା ସୃଷ୍ଟିକାରୀ ଭାଷଣ ଓ ସାହିତ୍ୟର ପ୍ରଚାର ପ୍ରସାର କରାଯାଉଥିଲା । ମିଥ୍ୟା ଆଇଡି କରି ହଜାର ହଜାର ଲୋକଙ୍କୁ ଏହି ୱେବସାଇଟ ସହିତ ଯୋଡି ଦିଆଗଲା । ୱେବସାଇଟ ଜରିଆରେ ଦଙ୍ଗା କରିବା ସହ ଏଥିରୁ ବର୍ତିବା ପାଇଁ ବାଟ ବତା ଯାଇଥିଲା । ସହାୟତା ନାଁରେ ଦଙ୍ଗା କରିବାକୁ ହେଉଥିଲା ଫଣ୍ଡିଙ୍ଗ ।