ହାଥରସ ହରର ପରେ ଦୋହଲି ଗଲା ଦେଶର ଛାତି, କାନ୍ଦିଲା ସାରାଦେଶ । ମୃତ୍ୟୁ ପରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ମୃତଦେହକୁ ଜାଳିଦେଲା ୟୁପି ପୋଲିସ । ଏଡିଜିଙ୍କ ସଫେଇ ନଷ୍ଟ ହୋଇ ଯାଇଥାନ୍ତା ମରଶରୀର । ଦେଶ କହୁଛି ଦୋଷୀଙ୍କୁ ଦିଅ ଫାଶୀ । ମୃତ୍ୟୁ ପରେ ପୀଡିତା ପଚାରୁଛି ଆଉ କେତେ ନିର୍ଭୟା ଦେଖିବ ଦେଶ…?

1,266

କନକ ବୁରୋ: ଲୋକଙ୍କ ମନରେ ଆକ୍ରୋଶ ଅଛି, ମନ ଭିତରେ ବ୍ୟବସ୍ଥା ପ୍ରତି ଅବିଶ୍ୱାସର ମାତ୍ରା ପ୍ରଚୁର ଭାବେ ବଢିଚାଲିଛି । କାରଣ ଜଣାଇବାର ଆବଶ୍ୟକତା ନାହିଁ । ଉତ୍ତରପ୍ରଦେଶରେ ଯେଉଁ ଘଟଣା ଘଟିଲା, ତାର ଉତରଦାୟିତ୍ୱ କିଏ ନେବ ଖୋଜୁ ଖୋଜୁ ପ୍ରଶାସନିକ ବ୍ୟବସ୍ଥାର ଏକ ସୁକ୍ଷ୍ମ କୋଣ ସମସ୍ତଙ୍କ ସାମ୍ନାକୁ ଆସିଗଲା ଯେଉଁଥିରେ ଦୋଷ କାହାକୁ ଦିଆଯିଏ ତାର ଉତର ଖୋଜିଲା ବେଳକୁ ସମସ୍ତେ ସାଧାରଣ ଲୋକଙ୍କ ନଜରରେ ଦୋଷୀ ଭଳି ଲାଗିଲେ । ପୀଡିତା ମୃତ୍ୟୁ ବରଣ କଲେ, ରାତାରାତି ମର ଶରୀର ଗାଁକୁ ଆଣି ଅନ୍ତିମ ସଂସ୍କାର କରି ଦିଆଗଲା । ପରିବାର ଲୋକଙ୍କୁ ଦେଖିବାକୁ ବି ଦିଆଗଲା ନାହିଁ ବୋଲି ଅଭିଯୋଗ ହେଲା । ପୁଲିସ ଉପସ୍ଥିତିରେ ସବୁକିଛି ଘଟୁଥିଲା, ଆଇନଶୃଙ୍ଖଳାକୁ ଯଥାସମ୍ଭବ ସାମାନ୍ୟ ରଖିବାକୁ ବ୍ୟାପକ ପୁଲିସ ମୁତୟନ କରିଦିଆଗଲା । ତେଣୁ କାହାକୁ ଦୋଷ ଦେବା, କାହା ମୁଣ୍ଡ ଉପରେ ଉତରଦାୟିତ୍ୱ ନିର୍ଦ୍ଧାରଣ କରାଯିବ, ସେହି ଚେହେରା ମିଳିବା କଷ୍ଟ । କାରଣ ସମସ୍ତେ ସରକାର ପ୍ରତି ସମର୍ପିତ ଭାବ ନେଇ କାମ କରୁଛନ୍ତି । ଆଉ ସରକାରର ଛବି ଯେପରି ମଳିନ ନହେବ, ସେଥିଲାଗି ଯତ୍ନବାନ ସାଜୁଛନ୍ତି ।

କିଛି ଦିନ ତଳେ କଙ୍ଗନା ରଣାୱତଙ୍କୁ ପୋଲିସ ସୁରକ୍ଷା ଦେଇଥିବାର ଚିତ୍ର ସମସ୍ତେ ଜାଣିଥିବେ । କଙ୍ଗନାଙ୍କୁ କେମିତି ପୋଲିସ କଡନ କରି ନେଉଥିଲା ତାହା ସାରା ଦେଶ ଦେଖଇଥିଲା । ମାତ୍ର ୟୁପିରେ ପୁଲିସର କଡା ପହରା ଭିତରେ ଗଣବଳାକ୍ରାର ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଆମ ପୁଲିସ ବ୍ୟବସ୍ଥା କାହା ପାଇଁ? ଆମେ କାହାକୁ ସୁରକ୍ଷା ଦେବାକୁ ବଦ୍ଧ ପରିକର? ଆମ ବ୍ୟବସ୍ଥା କଣ ତଥାକଥିତ ପ୍ରଭାବଶାଳୀ ଲୋକଙ୍କ ପାଇଁ? ସାଧାରଣ ଲୋକ କିଛି ଆଶା କରିବା ବୃଥା ହେବ କି?

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ଦେଇଥିବା ବୟାନ ପରବର୍ତ୍ତୀ ପର୍ଯ୍ୟାୟରେ ମହାରାଷ୍ଟ୍ର ସରକାର ବନାମ କଙ୍ଗନାରେ ପରିଣତ ହୋଇଗଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମାନ ଲଗାଇଲା ଯେ, ବଲିଉଡର ଏହି ଷ୍ଟାରଙ୍କ ଜୀବନ ପ୍ରତି ବିପଦ ରହିଛି ଆଉ ତାଙ୍କୁ ୱାଇ ପ୍ଲସ କାଟେଗୋରୀ ସୁରକ୍ଷା ଯୋଗାଇ ଦିଆଗଲା । ତାଙ୍କ ପାଖରେ କେହି ପହଁଚିବା ପୂର୍ବରୁ କଡା ସୁରକ୍ଷା ବଳୟ ଭେଦ କରି ଯିବାକୁ ପଡିବ । ବଲିଉଡ ଷ୍ଟାର ସେମିତିରେ ବି ନିଜ ପାଖରେ ପ୍ରାଇଭେଟ ସିକ୍ୟୁରିଟି ରଖିଥାନ୍ତି, ହେଲେ କଙ୍ଗନାଙ୍କ ପାଇଁ ଯେଉଁ ଆଭିମୁଖ୍ୟ କେନ୍ଦ୍ର ସରକାର ଦେଖାଇଲେ ତାହା କେବେ ବି ଜଣେ ସାଧାରଣ ଲୋକର କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । ସୁରକ୍ଷା କଥା ଛାଡି ଦିଅନ୍ତୁ, ପୁଲିସର ଆଚରଣ ଜଣେ ସାଧାରଣ ଲୋକଙ୍କ ପ୍ରତି କିଭଳି ରହିଥାଏ, ତାହା ଜଣାଇବାର ଆବଶ୍ୟକତା ବି ନାହିଁ । ଆପଣ ଭାବୁଥିବେ, ଏହି କଥା କହିବାର ଆବଶ୍ୟକତା କଣ ଥିଲା?

ଉତରପ୍ରଦେଶରେ ଯେଉଁ ଘଟଣା ଘଟିଥିଲା, ସେଥିରେ ପୁଲିସ ଅବହେଳା କରିଥିବା ଅଭିଯୋଗ ହେଲା । ଯେତେବେଳେ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଅବନତି ହେଲା, ସେତେବେଳେ ହିଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଅପରାଧୀଙ୍କୁ ଘଂଟ ଘୋଡାଇ ରଖିବାକୁ ପୁଲିସ ଉଦ୍ୟମ କରୁଥିବା ଭଳି ସଂଗୀନ ଅଭିଯୋଗ ଆସିଲା । ବଳାକ୍ରାର ଭଳି ଅଭିଯୋଗ ନେଇ ମାମଲା ରଦ୍ଦ କରିବାରେ ୮ ଦିନ ବିଳମ୍ବ କାହିଁକି ହେଲା? ଅଧିକ ଚିକିତ୍ସା ପାଇଁ ଏମ୍ସ ଅଣାଯିବା ପରିବର୍ତେ କାହିଁକି ୟୁପିରେ ହିଁ ରଖାଗଲା? ଏମିତି ମାଳାମାଳ ଅଭିଯୋଗର ଫର୍ଦ୍ଦ ଭିତରେ ପୁଲିସର ଭୂମିକାକୁ ସମସ୍ତେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । କାରଣ ରାତିଅଧିଆ ଅନ୍ତିମ ସଂସ୍କାର ଆଉ ପରିବାରକୁ ଏଠାରୁ ଦୂରେଇ ରଖିବା ଘଟଣା ମଧ୍ୟ ବର୍ଦ୍ଦିରେ ଦାଗ ଲଗାଇଛି । ତେଣୁ ଆମ ମନରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଆସିଗଲା, ଯେ ଆମ ବ୍ୟବସ୍ଥା କାହା ପାଇଁ? ସାଧାରଣ ଲୋକଙ୍କ ପାଇଁ ନା ତଥାକଥିତ ପ୍ରଭାବଶାଳୀଙ୍କ ପାଇଁ ।

ଏହି ପୁରା ଘଟଣାକ୍ରମ ଭିତରେ ଯେଉଁ ଦିଗଟି ପ୍ରତି ସାଧାରଣ ଲୋକ ମଧ୍ୟ ଅଙ୍ଗୁଳି ଉଠାଇଲେ ତାହା ହେଲା ପୀଡିତାଙ୍କ ପରିବାରକୁ ଯୋଗାଇ ଦିଆଯାଇଥିବା ସହାୟତା ନେଇ ଯେତେବେଳେ ହାଥରସ ଜିଲ୍ଲାପାଳଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରାଗଲା । ପୂର୍ବରୁ ପୀଡିତାଙ୍କ ପରିବାରକୁ ୪ ଲକ୍ଷ ୧୨ ହଜାର ୫୦୦ ଏବଂ ପରେ ୫ ଲକ୍ଷ ୮୭ ହଜାର ୫୦୦ ଟଙ୍କା ସହାୟତା ଏପରି ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ବାସ ଏହି କେଇ ହିସାବ କିତାବ ଆମ ମାନବିକତାର ପରିସୀମା କେତେ ତାର ବାସ୍ତବତାକୁ ସାମ୍ନାକୁ ନେଇ ଆସିଲା । ଲୋକେ ପ୍ରଶ୍ନ କଲେ, କଣ ଜଣେ ପୀଡିତାର ମୁଲ୍ୟ ୧୦ ଲକ୍ଷ ଟଙ୍କା । ହୁଏତ ଏଭଳି ଟ୍ୱିଟ କରି ଜିଲ୍ଲାପାଳ କିଛି ଭୂଲ ବାର୍ତା ଦେବାକୁ ଚାହିଁନଥିବେ, ହେଲେ ଯେଉଁ ସ୍ଥିତି ସମସ୍ତଙ୍କ ମନରେ ଆକ୍ରୋଶ ତିଆରି କରୁଛି ଠିକ ସେତିକି ବେଳେ ଏଭଳି ଆଭିମୁଖ୍ୟ ଗ୍ରହଣ ହୋଇପାରୁନାହିଁ ।

ଘଟଣା ଉତରପ୍ରଦେଶରେ ଘଟିଛି । ଦେଶର ସବୁଠାରୁ କ୍ଷମତାଶାଳୀ ରାଜ୍ୟ । ଯେଉଁଠାରୁ ଦେଶ ପ୍ରଧାନମନ୍ତ୍ରୀ ପାଇଛି । ଦେଶର ଶାସନ ଗାଦିରେ କିଏ ବସିବ ତାର ନିର୍ଦ୍ଧାରଣ ଏହି ରାଜ୍ୟର ଆସନ ସଂଖ୍ୟାର ହିସାବ କିତାବ ଅନୁସାରେ ହୋଇଥାଏ । ହେଲେ ଏହି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଆଉ ଅପରାଧୀଖ କାର୍ଯ୍ୟକଳାପ କାହିଁକି କେଜାଣି କେବଳ ରାଜନୈତିକ ମୁଦ୍ଧା ହୋଇ ରହିଯାଉଛି ସିନା କିନ୍ତୁ ମୁକାବିଲା କରିବାର ସଠିକ ରାସ୍ତା ମିଳିପାରୁନାହିଁ । କଂଗ୍ରେସ ଆନ୍ଦୋଳନ କରିବ, ରାସ୍ତାକୁ ଓହ୍ଲାଇବ, ବିଜେପି ଯଥାସମ୍ଭବ ଚାହିଁବ, ତଦନ୍ତ ଆଳରେ ମାମଲା ଲୋକଙ୍କ ମନରୁ ପଳାଉ । ହେଲେ ଯେଉଁ ପ୍ରଶ୍ନର ଉତର ସମସ୍ତଙ୍କୁ ଦେବାର ଆବଶ୍ୟକତା ରହୁଛି ତାହା ହେଲା, ଆଉ କେତେ ଦିନ, କେତେ ଘଟଣା, କେତେ ନିର୍ଭୟା?