ହାଥରସ୍ ଗଣଦୁଷ୍କର୍ମ ମାମଲା : ଗୋଟିଏ ପଟେ ପୀଡ଼ିତାର ଜୁଇ ଜଳୁଥିଲା ଆଉ ପରିବାରର ବୁକୁଫଟା କାନ୍ଦ ଶୁଭୁଥିଲା ଆଉ ଗୋଟିଏ ପଟେ ପୁଲିସ୍ ଠିଆ ହୋଇ ହସୁଥିଲା । 

2,051

ଉତ୍ତରପ୍ରଦେଶର ହାଥରସରେ ଜଣେ ଦଳିତ ଯୁବତୀଙ୍କ ସହ ହୋଇଥିବା ନୃଶଂସତାକୁ ସାରା ଦେଶ ଥୁ’ଥୁ କରୁଛି । ସମସ୍ତଙ୍କ ମୁହଁରେ ଦୁଃଖ ଏବଂ ରାଗର ମିଶାଗୋଳା ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିନ୍ତୁ ଏଭଳି ଏକ ହୃଦୟବିଦାରକ ଘଟଣା ଭିତରେ ବି ଉତ୍ତରପ୍ରଦେଶ ପୁଲିସର ଅମାବନୀୟ ଚେହେରା ସାମ୍ନାକୁ ଆସିଛି । ମୃତ୍ୟୁ ପରେ ମଙ୍ଗଳବାର ଅଧରାତିରେ ଯୁବତୀଙ୍କ ମୃତଶରୀରକୁ ହାଥରସ୍ ନିଆଯାଇଥିଲା । ସମସ୍ତଙ୍କ ବିରୋଧ ସତ୍ତେ୍ୱ ବି ପୁଲିସ୍ ଜବରଦସ୍ତି ଯୁବତୀଙ୍କ ଅନ୍ତିମ ସଂସ୍କାର କରିଥିଲା ।

 

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ହାଥରସ୍ ଶ୍ମଶାନରେ ଅ।ଉ ଜଣେ ନିର୍ଭୟାର ଜୁଇ ଜଳୁଥିବା ସମୟରେ କିଛି ପୁଲିସ୍ ଅଧିକାରୀ ସେଠାରେ ଠିଆ ହୋଇ ଗୁଲିଗପ କରିବା ସହ ହସୁଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଭିତରେ ପୁଲିସର ଏଭଳି ଅସମ୍ବେଦନଶୀଳ କାର୍ଯ୍ୟ ସମସ୍ତଙ୍କୁ ଖାଲି ଚକିତ କରିନି , ପୁଲିସ୍ ଉପରୁ ଭରସା ନାମକ ଏକ ଶବ୍ଦ ବି ଉଠାଇଦେଇଛି । ଗୋଟିଏ ପଟେ ଅଲିଅଳି ଝିଅକୁ ହରାଇ ପୀଡ଼ିତାଙ୍କ ପରିବାରର ବୁକୁଫଟା କାନ୍ଦ ଏବଂ ନ୍ୟାୟଭିକ୍ଷା , ଆଉ ଗୋଟିଏ ପଟେ ଖାକି ପୋଷାକଧାରୀ ବାବୁଙ୍କ ମୁଚୁକୁନ୍ଦା ହସ … ।

ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ଯୁବତୀଙ୍କ ମୃତ୍ୟୁ ମଙ୍ଗଳବାର ରାତି ଦିଲ୍ଲୀସ୍ଥିତ ସଫଦରଜଙ୍ଗ୍ ହସ୍ପିଟାଲରେ ହୋଇଥିଲା । ପୁଲିସ୍ ସୁରକ୍ଷା ଭିତରେ ଅଧରାତିରେ ପୀଡ଼ିତାଙ୍କ ଶବକୁ ଗାଁକୁ ଅଣାଯାଇଥିଲା , ଗାଁଲୋକେ ପୁଲିସର ବିରୋଧ କରି ପରିବାରକୁ ଶବ ହସ୍ତାନ୍ତର କରିବା ଏବଂ ନ୍ୟାୟ ପାଇଁ ଅପିଲ୍ କରିଥିଲେ । ହେଲେ ପୁଲିସ୍ କାହାରିକୁ ଶବ ପାଖ ମାଡ଼ିବାକୁ ଦେଇନଥିଲେ ଏବଂ ନିଜେ ନିଜେ ପୀଡ଼ିତାଙ୍କ ଶବଦାହ କରିଥିଲେ । ଖାଲି ଏତିକି ନୁହଁ ୟୁପି ପୁଲିସ୍ କୌଣସି ଗଣମାଧ୍ୟମକୁ ବି ଖବର ପ୍ରସାରଣ କରିବା ପାଇଁ ସୁଯୋଗ ଦେଇନଥିଲେ ।

ପୁଲିସର ଏଭଳି ବ୍ୟବହାରକୁ ନେଇ ଏବେ ସାରା ଦେଶରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆପଣଙ୍କୁ କହିରଖୁଛୁ ଯେ , ପୀଡ଼ିତାଙ୍କ ପରିବାର ପୁଲିସ୍ ଉପରେ ଅଭିଯୋଗ ଆଣୁଛନ୍ତି ଯେ ୟୁପି ପୁଲିସ୍ ତାଙ୍କ ଦ୍ୱାରା ଦିଆଯାଇଥିବା ଏତଲାକୁ ଗ୍ରହଣ କରିନଥିଲେ , ଏହାପରେ ଏଥିରେ ଗଣଦୁଷ୍କର୍ମର ଧାରାକୁ ମଧ୍ୟ ଯୋଡ଼ା ଯାଇନଥିଲା । ଗଣମାଧ୍ୟମରେ ଘଟଣାର ଘନଘନ ପ୍ରସାରଣ ପରେ ଶୋଇଥିବା ୟୁପି ପୁଲିସ୍ ଏବେ ଚେଇଁଛି । ପୁଲିସ୍ କହିବାନୁସାରେ , ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।