ସିବିଆଇ ହାତକୁ ଗଲା ହାଥରସ ଦୁଷ୍କର୍ମ ଓ ମୃତ୍ୟୁ ମାମଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି । କେବଳ ଗଣଦୁଷ୍କର୍ମ ନୁହେଁ ଷଡଯନ୍ତ୍ର ଓ ଅପପ୍ରଚାର ପ୍ରସଙ୍ଗର ବି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

155

କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛି । ଗତ ସେପ୍ଟେମ୍ବର ୨୯ ତାରିଖରେ ଉତ୍ତର ପ୍ରଦେଶର ହାଥରସରେ ଜଣେ ଦଳିତ ଯୁବତୀ ଗୁରୁତର ଅବସ୍ଥାରେ ଦିଲ୍ଲୀ ସଭଦରଗଂଜ ହସ୍ପିଟାଲରେ ଆଖିବୁଜି ଥିଲେ । ତାଙ୍କୁ ଗତ ସେପ୍ଟେମ୍ବର ୧୪ ତାରିଖରେ ଗଣବଳାକ୍ରାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଅଭିଯୁକ୍ତମାନେ ତାଙ୍କୁ ଗୁରୁତର ଆହତ ମଧ୍ୟ କରିଥିଲେ ଏବଂ ତାଙ୍କର ଜିଭ କାଟି ଦେବା ଭଳି ନୃସଂଶ କାଣ୍ଡ ମଧ୍ୟ ଭିଆଇଥିଲେ ।

ଅନ୍ୟପଟେ ପରିବାର ଲୋକଙ୍କ ବିନା ସହମତିରେ ଯୁବତୀଙ୍କ ଶେଷ ସଂସ୍କାର କରିଥିଲା ପ୍ରଶାସନ । ତେବେ ଏହି ଘଟଣା ନେଇ ସ୍ଥାନୀୟ ପ୍ରଶାସନ ଓ ପୁଲିସର କାମକୁ ନେଇ ଅଭିଯୋଗ ଆସିଥିଲା । ଏହାକୁ ନେଇ ତୀବ୍ର ବିରୋଧ ଆସିବା ପରେ ମୁଖ୍ୟମନ୍ତ୍ରୀ ଏକ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଅଭିଯୋଗ ଆସିଥିବା ପୁଲିସ ଅଧିକାରୀଙ୍କୁ ନିଳମ୍ବିତ କରିଥିଲେ । ପରେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ଉତ୍ତରପ୍ରଦେଶ ସରକାର । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ଗଣଦୁଷ୍କର୍ମ ନୁହେଁ ଜାତିବାଦୀ ହିଂସାପାଇଁ ହୋଇଥିବା ଅପରାଧୀକ ଷଡଯନ୍ତ୍ର, ହିଂସାତ୍ମକ କାଣ୍ଡ, ଗଣମାଧ୍ୟମ ଜରିଆରେ ରାଜନୈତିକ ଉଦ୍ଦେଶ୍ୟରଖି ଅପ୍ରଚାର ପ୍ରସଙ୍ଗର ମଧ୍ୟ ତଦନ୍ତ କରିବ ।