ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତଦନ୍ତର ତଦାରଖ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ।

492

କନକ ବ୍ୟୁରୋ : ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଦେଇଛନ୍ତି । ତଦନ୍ତର ତଦାରଖ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମାମଲାକୁ ସ୍ଥାନାନ୍ତରିତ କରିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମାମଲା ତଦନ୍ତର ତଦାରଖ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ମାମଲାର ଯାଂଚ କରୁଥିବା ବେଳେ ଆହ୍ଲାବାଦ ହାଇକୋର୍ଟଙ୍କୁ ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ଏ ଏସ ବୋପନ୍ନା ଓ ବିଚାରପତି ବି ରାମାସୁବ୍ରମଣ୍ୟମଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ପୀଡିତାଙ୍କ ପରିବାର ତଥା ସାକ୍ଷୀଙ୍କ ସୁରକ୍ଷା ସମେତ ମାମଲାର ସମସ୍ତ ଦିଗ ଆହ୍ଲାବାଦ ହାଇକୋର୍ଟ ତୁଲାଇବେ ବୋଲି କୁହାଯାଇଛି । ମାମଲାର ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ଆହ୍ଲାବାଦ ହାଇକୋର୍ଟରେ ଦାଖଲ କରିବାକୁ ସବୋର୍ଚ୍ଚ ନ୍ୟାୟାଳୟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ଏହି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ମାମଲାର ଟ୍ରାୟଲ ସରିବା ପରେ ସ୍ଥାନାନ୍ତର ନେଇ ନିଷ୍ପତି ନିଆଯିବ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସିବିଆଇ ମାମଲାର ତଦନ୍ତ କରୁଛି ତେଣୁ ତୁରନ୍ତ ଏହାକୁ ସ୍ଥାନାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ । ଏବଂ ଅନ୍ୟ ସମସ୍ତ ଦିଗ ଉପରେ ଆହ୍ଲାବାଦ ହାଇକୋର୍ଟ ନଜର ରଖିଛନ୍ତି ।

ଗତ ସେପ୍ଟେମ୍ବର ୪ତାରିଖରେ ଉତ୍ତରପ୍ରଦେଶର ହାଥରସରେ ଦଳିତ ଯୁବତୀଙ୍କୁ  ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହାପରେ ସେପ୍ଟେମ୍ବର ୨୯ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ପରେ ପୋଲିସ ପୀଡିତାଙ୍କ ଶବକୁ ପୋଡି ଦେବା ନେଇ ଜୋରଦାର ହଙ୍ଗାମା ହୋଇଥିଲା । ଏବଂ ମାମଲା ଯାଇ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପହଂଚିଥିଲା । ୟୁପି ପୋଲିସର ଏସଆଇଟି ପ୍ରଥମେ ଘଟଣାର ତଦନ୍ତ କରୁଥିବା ବେଳେ ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।