କନକ ବ୍ୟୁରୋ : ଆଜି ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାର ଶୁଣାଣି ହେବ । ଏହି ଶୁଣାଣି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ କରାଯିବ । ଏ ନେଇ କଡ଼ା ସୁରକ୍ଷା ମଧ୍ୟରେ ପୀଡ଼ିତାଙ୍କ ପରିବାର କୋର୍ଟରେ ହାଜର ହେବେ। ଏହି ମାମଲାରେ ଅବହେଳା ଅଭିଯୋଗରେ ସରକାର ଏବଂ ପୁଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅଦାଲତ ପକ୍ଷରୁ ଡକାଯାଇଛି । ଶୁଣାଣି ପାଇଁ କଡ଼ା ସୁରକ୍ଷା ମଧ୍ୟରେ ପୀଡ଼ିତାଙ୍କ ପରିବାର ଲକ୍ଷ୍ନୌ ବାହାରି ସାରିଥିବା ନେଇ ଖବର ମିଳିଛି ।
Family members of #Hathras alleged gang-rape victim leave for Lucknow.
They will appear before Lucknow Bench of Allahabad High Court later in the day. pic.twitter.com/Slu1k5GUmW
— ANI UP (@ANINewsUP) October 12, 2020
ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଏସକର୍ଟରେ ୬ଟି ଗାଡ଼ି ରହିଛି । ପୀଡ଼ିତାଙ୍କ ପରିବାର ସହ ଏସଡିଏମ ଅଞ୍ଜଳି ଗଙ୍ଗୱାର ମଧ୍ୟ ଲକ୍ଷ୍ନୌକୁ ଯାଉଛନ୍ତି । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅପରାହ୍ନ ୨.୩୦ରୁ ଶୁଣାଣି ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ପୀଡ଼ିତାଙ୍କ ପରିବାର ସକାଳ ୬ଟାରେ ହାଥରସରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ଦିନ ୧୧ଟାରୁ ୧୨ଟା ସୁଦ୍ଧା ସେମାନେ ଲକ୍ଷ୍ନୌରେ ପହଞ୍ଚିବାର ସମ୍ଭାବନା ରହିଛି ।
ସୂଚନା ମୁତାବକ, ପୁଲିସ ଟିମ୍ ପୀଡ଼ିତାଙ୍କ ପରିବାରକୁ ନେବା ପାଇଁ ରବିବାର ରାତିରେ ବୁଲଗାଡ଼ି ଗ୍ରାମରେ ପହଞ୍ଚିଥିଲେ। କିନ୍ତୁ ସେମାନେ ରାତିରେ ଯିବାକୁ ରାଜି ନ ହେବାରୁ ସେମାନଙ୍କୁ ଆଜି ସକାଳେ ଲକ୍ଷ୍ନୌ ନିଆଯାଉଛି । ପୁଲିସ ପହଞ୍ଚିବାକୁ ବିଳମ୍ବ କରିବା ପରେ ସୁରକ୍ଷା କାରଣ ଦର୍ଶାଇ ପୀଡ଼ିତାଙ୍କ ପରିବାର ରାତିରେ ଲକ୍ଷ୍ନୌ ଯିବାକୁ ମନା କରିଦେଇଥିବା ଜଣାପଡ଼ିଛି ।