ପାଠ ପଢିବା ପାଇଁ ଶ୍ରମିକ ସାଜି ଖବରକୁ ଆସିଥିଲେ। ଏବେ ଭଲ ନମ୍ବର ରଖି ପୁଣି ଖବରର ସିରୋନାମା ପାଲଟିଛନ୍ତି ହାଟଡିହିର ରାଣୀ ହେମ୍ରମ୍

200

କନକ ବ୍ୟୁରୋ: ଖବରର ଦୁଇ ଧାରରେ ଜଣେ ମେଧାବୀ ଛାତ୍ରୀ । ଦିନେ ଶ୍ରମିକ ଭାବେ କାମ କରି ଚର୍ଚ୍ଚାକୁ ଆସିଥିଲେ, ଆଉ ଏବେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ବାହାରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମାଟ୍ରିକ ପରୀକ୍ଷାରେ୍ ୫୧୧ ନମ୍ବର ରଖି ପାସ କରିଥିବା ହାଟଡିହି ବ୍ଲକ ସଙ୍ଗମ ଗାଁର ରାଣୀ ହେମ୍ରମ୍ କଲେଜରେ ପଢିବା ପାଇଁ ଶ୍ରମିକ ସାଜିଥିଲେ । ଏନେଇ ୨୦୨୧ ଜୁଲାଇ ମାସରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ସେତେବେଳେ ଗଣମାଧ୍ୟମରୁ ରାଣୀଙ୍କ ବାବଦରେ ଜାଣିବା ପରେ ସହଯୋଗର ହାତ ବଢାଇଥିଲେ ସ୍ୱେଚ୍ଛାସେବୀ ଓ ଆନନ୍ଦପୁର ବିଧାୟକ ।

ଭୁବନେଶ୍ୱରର ସ୍ୱେଚ୍ଛାସେବୀ ନିବେଦିତା ଲେଙ୍କା, ରାଣୀଙ୍କ ପଢା ଦାୟିତ୍ୱ ନେଇଥିଲେ । ରାଣୀକୁ ନେଇ ରାଜଧାନୀର ଏକ ଘରୋଇ କଲେଜରେ ଯୁକ୍ତ ୨ ବିଜ୍ଞାନ ପଢାଉଥିଲେ । ଆଉ ଆଜି ସେଇ ସଂଘର୍ଷର ପରର ସଫଳତା ଆସିଛି । ରାଣୀ ଯୁକ୍ତ ଦୁଇ ବିଜ୍ଞାନରେ ୮୧ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ଆଗକୁ ଉଚ୍ଚ ଶିକ୍ଷା କରି ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ରାଣୀ ହେମ୍ରମ୍ । ରାଣୀଙ୍କ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ଆସିବା ପରେ ପରିବାର ଲୋକେ ଖୁସି ଜାହିର କରିବା ସହ କନକ ନ୍ୟୁଜକୁ ଧନ୍ୟବାଦ ଦେଇଛନ୍ତି ।