କନକ ବ୍ୟୁରୋ : ଟି-୨୦ ବିଶ୍ୱକପର ୨ଟି ସେମିଫାଇନାଲରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଠାରୁ ନ୍ୟୁଜିଲାଣ୍ଡ ନିଶ୍ଚିତ ବିଜୟ ଛଡାଇ ଆଣିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ନିଶ୍ଚିତ ପରାଜୟକୁ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ଅଷ୍ଟ୍ରେଲିଆ । ତେବେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ପରେ ପାକିସ୍ତାନର କ୍ରିକେଟର ହସନ ଅଲ୍ଲୀଙ୍କୁ ସୋସିଆଲ ମିଡ଼ିଆରେ ଭୟଙ୍କର ଟ୍ରୋଲ କରାଯାଉଛି । କାରଣ ପାକିସ୍ତାନ ପରାଜୟ ପଛର ସବୁଠୁ ବଡ ଖଳନାୟକ ସାଜି ଉଭା ହୋଇଛନ୍ତି ହସନ ଅଲ୍ଲୀ ।

Advertisment

କ୍ରିକେଟ ଖେଳରେ କ୍ୟାଚ୍ ଛାଡିଲେ, ମ୍ୟାଚ୍ ହାରିବ ଏହି କଥା ପୂର୍ବରୁ ରହି ଆସିଛି । ଆଉ ଅନେକ ସମୟରେ ଏହା ପ୍ରମାଣିତ ମଧ୍ୟ ହୋଇଛି । ଆଉ ଏହାର ଆଉ ଏକ ଝଲକ ଅଷ୍ଟ୍ରେଲିଆ-ପାକିସ୍ତାନ ସେମିଫାଇନାଲ ମୁକାବିଲାରେ ଦେଖିବାକୁ ମିଳିଛି । ଆଉ ପ୍ରତିବଦଳରେ ସୁପର-୧୨ରେ ଅପରାଜେୟ ଥିବା ପାକିସ୍ତାନର ଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି ।

ଅଷ୍ଟ୍ରେଲିଆ-ପାକିସ୍ତାନ ସେମିଫାଇନାଲରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଥିଲା । କିନ୍ତୁ ମ୍ୟାଚ୍ ମଝିରେ ଏମିତି କିଛି ମୁହୂର୍ତ୍ତ ଆସିଥିଲା ଯାହାକୁ କେବେ ପୁଣିଥରେ ଦେଖିବାକୁ ଚାହିଁବ ନାହିଁ ପାକିସ୍ତାନ । କିନ୍ତୁ ଅଷ୍ଟ୍ରେଲିଆ ପାଇଁ ଏହି ମୁହୂର୍ତ୍ତ ବିଜୟର ବାଟ ଖୋଲିଥିଲା । ଶେଷ ୨ ଓଭରରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୨ ରନ ଆବଶ୍ୟକ ଥିଲା । ଆଉ ଅନ୍ୟପଟେ ବୋଲିଂ ଭାର ସମ୍ଭାଳିଥିଲେ ଘାତକ ବୋଲର ସାହିନ ଆଫ୍ରିଦି । ଲାଗୁଥିଲା ପାକିସ୍ତାନ ହାତରେ ମ୍ୟାଚ୍ ରହିଛି । ଆଉ ଏଥିପାଇଁ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା । ସାହିନଙ୍କ ବଲରେ ବଡ ସଟ ଖେଳିବାକୁ ଯାଇ ପାକିସ୍ତାନ ପାଇଁ କ୍ୟାଚ୍ ସୁଯୋଗ ସୃଷ୍ଟି କରିଥିଲେ ମାଥ୍ୟୁ ୱେଡ । କିନ୍ତୁ ଏହି ସୁଯୋଗକୁ ହାତଛଡା କରିଥିଲା ପାକିସ୍ତାନ । ହାସନ ଅଲ୍ଲୀ ଏହି ସହଜ କ୍ୟାଚକୁ ହାତଛଡା କରି ପାକିସ୍ତାନକୁ ପରାଜୟ ଆଡକୁ ଠେଲି ଦେଇଥିଲା ।

କ୍ୟାଚ୍ ଛାଡିବା ସହ ୱେଡଙ୍କୁ ଜୀବନଦାନ ମିଳିବା ପାକିସ୍ତାନ ପାଇଁ ମହଙ୍ଗା ପଡିଥିଲା । ପରବର୍ତ୍ତୀ ୩ଟି ବଲରେ ୩ଟି ଛକା ମାରି ପାକିସ୍ତାନର ଫାଇନାଲ ଖେଳିବା ଆଶାକୁ ମାଟିରେ ମିଶାଇ ଦେଇଥିଲେ ମାଥ୍ୟୁ ୱେଡ୍ । ବିଜୟ ସହ ଅଷ୍ଟ୍ରେଲିଆ ଫାଇନାଲ ଟିକେଟ ହାତେଇଥିଲା, ଆଉ ପରାଜୟ ସହ ପୁଣିଥରେ ବିଶ୍ୱକପ ଜିତିବା ଆଶା ପାକିସ୍ତାନର ଭାଙ୍ଗିଥିଲା । ଆଉ ଏହି ପରାଜୟ ପରେ ସୋସିଆଲ ମିଡ଼ିଆରେ ହାସନ ଅଲ୍ଲୀଙ୍କୁ ଖଳନାୟକ ସଜାଇଛନ୍ତି ୟୁଜର୍ସ । କାରଣ ସେମିଫାଇନାଲ ମୁକାବିଲାରେ ହାସନ ଅଲ୍ଲୀରେ ବୋଲିଂରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ମାତ୍ର ୪ ଓଭରରେ ୪୪ ରନ ଦେଇଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ । ତେଣୁ ଏବେ ଟ୍ୱିଟରରେ ହାସନ ଅଲ୍ଲୀଙ୍କ ଧଜିଆ ଉଡାଉଛନ୍ତି ୟୁଜର୍ସ । କିଛି ୟୁଜର୍ସ କହିଛନ୍ତି ହାସନ ଅଲ୍ଲୀ କେବଳ କ୍ୟାଚ୍ ଛାଡିନାହାନ୍ତି ବରଂ ବିଶ୍ୱକପକୁ ହାତଛଡା କରିଛନ୍ତି । ଏହି କ୍ୟାଚ୍ ଛାଡିବା ପାଇଁ କେତେ ଟଙ୍କା ନେଇଛ ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି ।