ଅପମାନ ବଦଳାଇଦେଲା ଜୀବନ: ୯୩ ଥର ଲଢିସାରିଲେଣି ନିର୍ବାଚନ । ପଢନ୍ତୁ, ଏମିତି ଜଣେ ପ୍ରାର୍ଥୀଙ୍କ କାହାଣୀ  

710

କନକ ବ୍ୟୁରୋ: ସାରା ଦେଶରେ ଏବେ ଚାଲିଛି ନିର୍ବାଚନ ଋତୁ । ଆଉ ପ୍ରାର୍ଥୀମାନେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ମୈଦାନକୁ ଆସିବାକୁ ପ୍ରସ୍ତୁତ ହୋଇ ସାରିଲେଣି । ସମସ୍ତଙ୍କ ମନରେ ଗୋଟିଏ ଆଶା କେମିତି ନିର୍ବାଚନ ଜିତିବୁ । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କୁ ଦେଖାଇବୁ ଯିଏ ନିର୍ବାଚନ ଜିତିବାକୁ ନୁହେଁ ନିର୍ବାଚନ ହାରିବାକୁ ଲଢିଥାନ୍ତି । ସେ ଥରେ କି ଦୁଇ ଥର ନୁହେଁ ୯୩ ଥର ନିର୍ବାଚନ ଲଢିସାରିଲେଣି । ତେବେ ଆସନ୍ତୁ ଜାଣିବା କିଏ ସେହି ବ୍ୟକ୍ତି ।

ଉତ୍ତର ପ୍ରଦେଶ ଆଗ୍ରାର ହସନୁରାମ ଆମ୍ବେଦକରୀ । ହସନୁରାମଙ୍କ ବୟସ ୭୬ ବର୍ଷ । ସେ ଆଜି ଯାଏଁ ସେ ୯୩ ଥର ନିର୍ବାଚନ ଲଢି ସାରିଲେଣି, ଏଥର ମଧ୍ୟ ସେ ଆଗ୍ରା ଜିଲ୍ଲାର ଖେରାଗଡ ଆସନ ପାଇଁ ନିର୍ବାଚନ ଲଢିବେ । ଚଳିତ ବର୍ଷକୁ ମିଶାଇ ମୋଟ ୯୪ ଥର ନିର୍ବାଚନ ଲଢିବାକୁ ଯାଉଛନ୍ତି ହସନୁରାମ ଆମ୍ବେଦକରୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ୯୩ ଥର ନିର୍ବାଚନ ଲଢିବା ଭିତରେ ସେ କୌଣସି ବି ନିର୍ବାଚନରେ ବିଜୟ ହାସଲ କରିନାହାନ୍ତି । ତେବେ ନିର୍ବାଚନ ଲଢିବା ଓ ହାରିବା ପଛରେ ହସନୁରାମଙ୍କ ଏକ ରୋଚକ କାହାଣୀ ଲୁଚି ରହିଛି ।

୧୯୮୪-୮୫ ମସିହାରେ ହସୁନରାମ ବାମସେଫର କର୍ମକର୍ତ୍ତା ଥିଲେ । ଆଉ ବହୁଜନ ସମାଜବାଦୀ ପାର୍ଟିରୁ ସେ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ସେହି ସମୟରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ବରଂ କଟାକ୍ଷ କରି କହିଥିଲେ, ତମକୁ କେହି ଭୋଟ ଦେବେନି । ଏମିତି ତୁମ ସ୍ତ୍ରୀ ବି ତମକୁ ଭୋଟ ଦେବନି । ବାସ ଏହି କଥା ତାଙ୍କୁ ବହୁତ ବାଧିଥିଲା । ଆଉ ଅପମାନ ହିଁ ବଦଳାଇ ଦେଇଥିଲା ତାଙ୍କ ଜୀବନ । ସେବେଠୁ ସେ ନିଷ୍ପତ୍ତି ନେଇଥିଲେ ବଞ୍ଚିଥିବା ଯାଏ ନିର୍ବାଚନ ଲଢିବେ ।

ଏମିତିକି ହସନୁରାମ ରାଜସ୍ୱ ବିଭାଗରେ ଅମିନ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଅପମାନ ପରେ ନିର୍ବାଚନ ଲଢିବା ପାଇଁ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ଏହାପରଠୁ ସେ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ସାଂସଦ, ବିଧାୟକ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । କେବଳ ସେତିକି ନୁହେଁ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ, ଯାହାକି ଖାରଜ ହୋଇଯାଇଥିଲା । ସେ ୧୦୦ ଥର ନିର୍ବାଚନ ଲଢି ନିଜର ଏକ ସ୍ୱତନ୍ତ୍ର ରେକର୍ଡ ପ୍ରସ୍ତୁତ କରିବାକୁ ମଧ୍ୟ ଚାହୁଁଛନ୍ତି ।